ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୁଲିସ
ବ୍ରହ୍ମପୁର: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁଙ୍କୁ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି| ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ | କେଉଁ ପରିସ୍ଥିତିରେ ଏପରି ହେଲା ତାର ତଦନ୍ତ କରୁଛି ପୁଲିସ।ସୂଚନା ମୁତାବକ, ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା ପରେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ତେବେ ନାବାଳିକା ହୋଇଥିବାରୁ ତୁରନ୍ତ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନାବାଳିକାଙ୍କ ବାପା ଖବର ପାଇ ଥାନାରେ ପହଞ୍ଚି ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ତେବେ ଥାନାରେ ବାପାଙ୍କୁ ଦେଖି ନାବାଳିକା ଚିନ୍ତାରେ ପଡ଼ି ଯାଇଥିଲେ। ଭୟ କିମ୍ବା ଅନ୍ୟ କୌଣସି କାରଣରୁ ସେ ଥାନା ଭିତରେ ଫିନାଇଲ୍ ପିଇ ଦେଇଥିଲେ।