ଆଡାପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଭକ୍ତଙ୍କ ହୃଦୟକୁ ଅସୀମ ଆନନ୍ଦରେ ପୂର୍ଣ୍ଣ କରୁଛି। କିନ୍ତୁ ସେହି ଆନନ୍ଦ ସେତେବେଳେ ହିଁ ସମ୍ପୂର୍ଣ୍ଣ ହେବ, ଯେତେବେଳେ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହେବ। ସେହି ଆଶା, ସେହି ବିଶ୍ୱାସ ଓ ସେହି ପ୍ରାର୍ଥନାକୁ ହୃଦୟରେ ଧାରଣ କରି ନୀରବ ପଦଯାତ୍ରା ୧୧୨ତମ ଦିନରେ ମଧ୍ୟ ଅହିଂସା, ସତ୍ୟାଗ୍ରହ ଓ ଭକ୍ତିର ପଥରେ ଅବିଚଳ ଭାବେ ଆଗେଇ ଚାଲିଛି।

ପୁରୀ ,୨୧/୭-ଶ୍ରୀଗୁଣ୍ଡିଚା ମନ୍ଦିରର ଆଡାପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦିବ୍ୟ ଦର୍ଶନ ପାଇଁ ଆଜି ମଧ୍ୟ ଅଗଣିତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକତାର ଏହି ପବିତ୍ର ପରିବେଶ ମଧ୍ୟରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୧୨ତମ ଦିନରେ ପହଞ୍ଚିଛି। ଲଗାତାର ୧୧୨ ଦିନ ଧରି କୌଣସି ସ୍ଲୋଗାନ ନୁହେଁ, କୌଣସି କୋଳାହଳ ନୁହେଁ; କେବଳ ଭକ୍ତି, ନୀରବତା ଓ ସତ୍ୟାଗ୍ରହର ଶକ୍ତିକୁ ସାଥୀ କରି ଏହି ପଦଯାତ୍ରା ଚାଲିଆସୁଛି। ଏହା କେବଳ ଗୋଟିଏ ଦାବିର ଅଭିଯାନ ନୁହେଁ, ବରଂ ଜଗନ୍ନାଥ ସଂସ୍କୃତିର ସମତା, ସାର୍ବଜନୀନତା ଓ ମାନବିକତାର ମୂଲ୍ୟବୋଧକୁ ଜୀବନ୍ତ ରଖିବାର ଏକ ନୀରବ ସଂକଳ୍ପ।ଆଡାପ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ରୂପର ଦର୍ଶନ ଭକ୍ତଙ୍କ ହୃଦୟରେ ଅବର୍ଣ୍ଣନୀୟ ଆନନ୍ଦ ସୃଷ୍ଟି କରୁଥିବା ବେଳେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ବ୍ୟବସ୍ଥା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବାର ବେଦନା ଆଜି ମଧ୍ୟ ଅନେକ ଭକ୍ତଙ୍କ ଅନ୍ତରକୁ ସ୍ପର୍ଶ କରୁଛି। ସେହି ନୀରବ ବେଦନା ହିଁ ଏହି ପଦଯାତ୍ରାର ପ୍ରାର୍ଥନାରେ ପ୍ରତିଫଳିତ ହେଉଛି।ଆଜିର ପଦଯାତ୍ରାରେ ସାମିଲ ଭକ୍ତମାନେ ମହାପ୍ରଭୁଙ୍କ ଚରଣରେ ନୀରବ ପ୍ରାର୍ଥନା କରି କହିଛନ୍ତି— “ହେ କାଳିଆ ସାଆନ୍ତ! ତୁମେ ସମଗ୍ର ବିଶ୍ୱର ନାଥ, ତୁମ ଦ୍ୱାରରେ କେହି ପର ନୁହେଁ। ତୁମ ଦର୍ଶନରୁ କୌଣସି ଭକ୍ତ ବଞ୍ଚିତ ନ ହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ ଏବଂ ସମସ୍ତଙ୍କ ପାଇଁ ସମାନ ଦର୍ଶନ ସୁଯୋଗ ସୁନିଶ୍ଚିତ ହେଉ।” ପଦଯାତ୍ରାରେ ସାମିଲ ଭକ୍ତମାନେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଏହି ଅଭିଯାନ କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ପ୍ରଶାସନ ବିରୋଧରେ ନୁହେଁ। ଏହା କେବଳ ଜଗନ୍ନାଥ ସଂସ୍କୃତିର ଚିରନ୍ତନ ବାର୍ତ୍ତା— “ଜଗନ୍ନାଥ ସମସ୍ତଙ୍କର, ସମସ୍ତେ ଜଗନ୍ନାଥଙ୍କର” ପରିପ୍ରେକ୍ଷୀରେ ସୁରକ୍ଷିତ ରଖିବାର ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ। ମଙ୍ଗଳବାର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ଶିବସୁନ୍ଦର ମିଶ୍ର, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ସନ୍ଧ୍ୟାରାଣୀ ମିଶ୍ର, ମମତା ସ୍ବାଇଁ, ସୁବାଷ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଜଗଦାନନ୍ଦ ରାୟ, ସନ୍ତୋଷ ସେନାପତି, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ପଦଯାତ୍ରା ଅବ୍ୟାହତ ରହିବ। ଏହା ପ୍ରତିବାଦର ଭାଷା ନୁହେଁ, ବରଂ ଜଣେ ଭକ୍ତର ହୃଦୟର ଆର୍ତ୍ତି, ସତ୍ୟାଗ୍ରହର ସାଧନା ଓ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତ ପ୍ରାର୍ଥନା। ୧୧୨ ଦିନରେ ପଦାର୍ପଣ କରିଥିବା ଏହି ନୀରବ ପଦଯାତ୍ରା ପୁଣି ଥରେ ସମାଜ ଓ ପ୍ରଶାସନଙ୍କୁ ଆହ୍ୱାନ ଜଣାଇଛି — “ମହାପ୍ରଭୁ ସମସ୍ତଙ୍କର ତେଣୁ ତାଙ୍କ ଦର୍ଶନର ଅଧିକାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ କରାଯାଉ। ସମତା, ଭକ୍ତି ଓ ନ୍ୟାୟର ପରମ୍ପରା ହିଁ ଜଗନ୍ନାଥ ସଂସ୍କୃତିର ପ୍ରକୃତ ପରିଚୟ।

