ପୁରୀ : ଦକ୍ଷିଣ ମୋଡ଼ ପୂର୍ବରୁ ଯାଞ୍ଚ ହେଲା ତିନି ରଥ । ଆସନ୍ତାକାଲି ମହାପ୍ରଭୁଙ୍କ ତିନି ରଥର ହେବ ଦକ୍ଷିଣ ମୋଡ଼ । ଅର୍ଥାତ ବାହୁଡ଼ା ଯାତ୍ରାର ପ୍ରସ୍ତୁତି । ଦକ୍ଷିଣ ମୋଡ଼ ପୂର୍ବରୁ ଆଜି ତିନି ରଥକୁ ଯାଞ୍ଚ କରାଯାଇଛି । ରଥର ବିଭିନ୍ନ ଅଂଶକୁ ମୁଖ୍ୟ ମହାରଣା, ଭୋଇ ସେବକ ଏବଂ କମାର ସେବକ ମାନେ ଯାଞ୍ଚ କରିଛନ୍ତି । ଚଳିତବର୍ଷ ତିନି ରଥରେ ବିଶେଷ କିଛି କ୍ଷତି ହୋଇନଥିବା କହିଛନ୍ତି ମୁଖ୍ୟ ମହାରଣା ଏବଂ ଭୋଇ ସର୍ଦାର।
ସେପଟେ ଆଜି ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବେ ମହାଲକ୍ଷ୍ମୀ । ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିବେ ରଥ । ଏହା ପରେ ରାଗ ଜର୍ଜରିତ ହୋଇ ଫେରି ଆସିବେ ଶ୍ରୀମନ୍ଦିର । ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ ।
ହେରାପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । କିନ୍ତୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମହାଲକ୍ଷ୍ମୀ । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବେ । ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ପ୍ରବଳ ଭକ୍ତ ରୁଣ୍ଡ ହୁଅନ୍ତି ।

