ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମରଜେନ୍ସି ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ ଓ ମାଡ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ତିହିଡି ହରିପୁର ଗ୍ରାମର କାହ୍ନୁଚରଣ ଜେନାଙ୍କ ପୁଅ ଅଭିମନ୍ୟୁ ଜେନା ବୋଲି ଜଣାଯାଇଛି । ଗିରଫ୍ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରା ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡି ମେଡିକାଲରେ କାର୍ଯ୍ୟରତ ଡାକ୍ତର ସିଦ୍ଧାନ୍ତ କୁମାର ରାଉତଙ୍କ ଅଭିଯୋଗ ଅନୁଯାଇ, ମେଡିକାଲ ଏମାରଜେନ୍ସି ଡ୍ୟୁଟିରେ ଥିବାବେଳେ ଅଭିଯୁକ୍ତ ଅଭିମନ୍ୟୁ ଗତକାଲି ରାତି ପ୍ରାୟ ୯ .୪୦ ଘଟିକାରେ ଜଣେ ରୋଗୀଙ୍କୁ ନେଇ ଆସିଥିଲେ । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଅଭିଯୁକ୍ତ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ । ଅଭିଯୁକ୍ତଙ୍କ ମାଡରେ ଡାକ୍ତର ପେଟ, ପିଠି ଓ ହାତଗୋଡରେ ଗଭୀର ଆଘାତ ହୋଇଛି ଏବଂ ତାଙ୍କର ଚଷମା ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ମେଡିକାଲର କେତେକ ସାମଗ୍ରୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଥାନାରେ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଗିରଫ୍ ଦାବି କରିଥିଲେ । ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଅଭିମନ୍ୟୁ ଜେନାଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା କରି ଶେଷରେ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

