ପୁରୀ,୧୪/୭-ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି ।

ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ସଜେଇ ହେଲାଣି ଶ୍ରୀମନ୍ଦିର ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ।

ଝଲସିତ ହେଲାଣି ଶ୍ରୀକ୍ଷେତ୍ର । କୋଠ ସୁଆଁସିଆଙ୍କ ସେବକ ତିନିରଥର ୧୨ଗୋଟି ଦୁଆରବେଢାର କନାପକା କାର୍ଯ୍ଯ ଶେଷ କରିଛନ୍ତି ।ମଙ୍ଗଳବାର ରଥ ନିର୍ମାଣର ୮୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସୋମବାର ସୁଦ୍ଧା ତିନିରଥରେ ଠେକେରା ବାଡ଼ ବୁଲିବା ସହ ତିନିରଥର କନକ ମଣ୍ଡିରେ ପିତଳ ଚଦର ସଜ ଆବରଣ ସଂସ୍ଥାପନ ସହ ତିନିରଥରେ କାନା ପକା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାରଣା ସେବକ ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକଙ୍କ ସହଯୋଗରେ ତିନିରଥରେ

ତିନିରଥର ପ୍ରଭା ଗୁଡିକୁ ଭୋଇ ସେବକଙ୍କ ସହାୟତାରେ ରଥ ଉପରକୁ ଉଠିବା ପରେ ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ରଥ ପଶ୍ଚାତ୍ ଭାଗ ଚାରି ନାହାକାରେ ଲାଗିଥିବା ଦୁଇ ଧୂଳିଦଣ୍ଡା ରେ ସଂସ୍ଥାପିତ କରାଯାଇ କଣ୍ଟା ବସା କାର୍ଯ୍ୟ ଶେଷ ହୋଇଛି। ଦରଜୀ ସେବକ ମାନେ ତିନିରଥର କନା କାର୍ଯ୍ୟ ଶେଷ କରି ରଥ ଉପରେ କନା ପଡ଼ିବା ପାଇଁ ଯୋଡଣି କାର୍ଯ୍ୟ ଶେଷ କରିଛନ୍ତି ।

ଦରଜୀ ସେବକ ମାନେ ପ୍ରଥମ ପର୍ଯ୍ୟାୟରେ ତିନିରଥର ଚନ୍ଦ୍ରଶାଳୀ ଏବଂ ଦୁଆର ବେଢ଼ାରେ କନା ପକା କାର୍ଯ୍ୟ ପାଇଁ କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇ ଦେଇ ତିନିରଥର ଚକା, ଏବଂ ଅପସର କାର୍ଯ୍ୟ ଶେଷ କରି ତିନିରଥର ଉଡ଼ା ଚାନ୍ଦୁଆ ଏବଂ କନକ ମୁଣ୍ଡି ଚାନ୍ଦୁଆ କାର୍ଯ୍ୟ ଜାରୀ ରଖିଛନ୍ତି। ଆଜି କୋଠ ସୁଆଁସିଆ ସେବକ ତିନି ରଥର ୧୨ ଗୋଟି ଦୁଆର ବେଢାରେ କନା ପକା କାର୍ଯ୍ୟ ଶେଷ କରିଛନ୍ତି । ଚିତ୍ରକାର ସେବକ ମାନେ ତିନିରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେବା ସହ ତିନି ରଥର ଘୋଡ଼ା ମାନଙ୍କର ରଙ୍ଗ କାର୍ଯ୍ୟ ଶେଷ କରି ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୬ ଜଣ, କରତୀ ସେବକ ୪ଜଣ , ତିନିରଥ ରୂପକାର ସେବକ ୨୧ଜଣ, ତିନିରଥ ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୪ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟରେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ।

