ଭୁବନେଶ୍ୱର : ୨ ଦିନ ଧରି ଧୂଆଁଧାର ବର୍ଷା! । ରାଜ୍ୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲୋ ପ୍ରେସର ନେଇ ଉତ୍ତର ଓ ପୂର୍ବ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୫ ତାରିଖରେ କନ୍ଧମାଳ ଓ ୧୬ ତାରିଖରେ କେନ୍ଦ୍ରାପଡ଼ା, ଗଜପତି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୫ ଓ ୧୬ ତାରିଖରେ ସବୁ ରାଜ୍ୟରେ ବର୍ଷା ନେଇ ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଉପକୂଳ ଓଡ଼ିଶାରେ ୨ ଦିନ ଯାଏ ଗୁଳୁଗୁଳିର ସମ୍ଭାବନା ରହିଛି । ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଓଡିଶା ଉପକୂଳରେ ମେଘୁଆ ପାଗ ସହ ୩୫ରୁ ୪୫ କିମି ଓ ସର୍ବାଧିକ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିଯୋଗୁ ସମୁଦ୍ର ଅଶାନ୍ତ ରହିବ ଓ ୧୩ ରୁ ୧୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

