ପୁରୀ,୧୨/୭-ସ୍ନାନପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରସ୍ଥ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଭିଷଣ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରୁଛନ୍ତି । ଶ୍ରୀମନ୍ଦିରରେ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିନପାରି ବ୍ୟାକୁଳ ହେଉଛି । ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥ ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କୁ ବର୍ତ୍ତମାନ ଦର୍ଶନ କରି ଶ୍ରୀଜୀଉଙ୍କ ଦର୍ଶନର ସମପୂଣ୍ଯ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶ୍ରୀଅଲାରନାଥଙ୍କ ପ୍ରିୟ ଭୋଗ ଖୀରି ହୋଇଥିବାରୁ ଖୀରି ପ୍ରିୟ ଶ୍ରୀଅଲାରନାଥ ବୋଲି ଭକ୍ତମାନେ କହିଥାନ୍ତି । ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ନରେନ୍ଦ୍ରକୋଣ ଜଟିଆ ବାବାଜୀ ଛକ ଠାରୁ ପୁରୀ ସାତପଡା ରାସ୍ତାରେ ୨୦ କିଲୋମିଟର ଯିବା ପରେ ବ୍ରହ୍ମଗିରି ଗୋପ ଛକ ପଡିଥାଏ । ଏହି ଛକର ବାମ ପାର୍ଶ୍ବରେ ଶ୍ରୀଅଲାରନାଥଙ୍କ ତୋରଣ ଦୃଶ୍ଯମାନ ହୁଏ । ତୋରଣ ଠାରୁ ଅଳ୍ପ ଦୂର ଗଲେ ଶ୍ରୀଅଲାରନାଥଙ୍କ ମନ୍ଦିର ପଡିଥାଏ ।ଶ୍ରୀଅଲାରନାଥଙ୍କ ବିଗ୍ରହ ସାକ୍ଷାତ ନାରାୟଣ ମୂର୍ତ୍ତି । ମୂର୍ତ୍ତିର ବାମ ଓ ଦକ୍ଷିଣ ପାର୍ଶ୍ବ ଏକ ତୋରଣ ବିଶିଷ୍ଟ ଗୋଟିଏ କଳାମୁଗୁନି ପଥରରେ ଏହା ନିର୍ମିତ ହୋଇଛି । ଶ୍ରୀବିଗ୍ରହଙ୍କ ଉଚ୍ଚତା ସାଢେ ପାଞ୍ଚ ଫୁଟ । ଶ୍ରୀବିଗ୍ରହଙ୍କ ଦୁଇପାଦ ପାର୍ଶ୍ବରେ ଭୂଦେବୀ ଓ ଶ୍ରୀଦେବୀ ବିରାଜମାନ । ଚରଣ ତଳେ ଶ୍ରୀଗରୁଡ ମୂର୍ତ୍ତି ପ୍ରାର୍ଥନାରତ । ମୂର୍ତ୍ତିର ଦୁଇ ପାର୍ଶ୍ବରେ ଲଳିତା ଓ ବିଶାଖା ଚାମରରତ । ତୋରଣ ଉପରେ ବ୍ରହ୍ମା ଓ ଶିବ ବିରାଜମାନ । କର୍ଣ୍ଣରେ ମକର କୁଣ୍ଡଳ ଧାରଣ କରିଛନ୍ତି । କଣ୍ଠରେ ରତ୍ନହାର ବିଦ୍ଯମାନ । ସ୍କନ୍ଧରେ ଯଜ୍ଞ ପବିତ ଧାରଣ କରିଛନ୍ତି । ପାଦରେ ନୂପୁର, ହସ୍ତରେ ବାହୁଟି, ଆଙ୍ଗୁଠିରେ ମୁଦ୍ରିକା, ଉର୍ଦ୍ଧ୍ବ ବାମ ହସ୍ତରେ ଶଙ୍ଖ, ଉର୍ଦ୍ଧ୍ବ ଡାହାଣ ହସ୍ତରେ ଚକ୍ର । ନିମ୍ନ ବାମ ହସ୍ତରେ ଗଦା ଓ ନିମ୍ନ ଡାହାଣ ହସ୍ତରେ ପ୍ରଭୁଙ୍କ ପାପୁଲିରେ ପଦ୍ମ ଚିହ୍ନ ରହିଛି । ବିଗ୍ରହଟି କଳା ମୁଗୁନି ପଥରରେ ଜୀବନ୍ତ ଭାବେ ଭକ୍ତଙ୍କୁ ଦୃଶ୍ଯମାନ ହୁଅନ୍ତି । ଏଣୁ ଶ୍ରୀଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ଭାବେ ଭକ୍ତ ଦର୍ଶନ କରିଥାଏ । ଶ୍ରୀମନ୍ଦିରରେ ଭକ୍ତ ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ଚତୁର୍ଦ୍ଧାମୂର୍ତ୍ତି ଭାବେ ଦର୍ଶନ କରିଥାଏ । ଆସ ଅଲାର ଖାଅ ଖୀରି-ଖୀରି ପ୍ରିୟ ଶ୍ରୀଅଲାରନାଥ । ପ୍ରଭୁ ଗରମ ଖୀରି ଯୋଗୁ ହାତ ଓ ମୁହଁରେ ଫୋଟକା ଚିହ୍ନ ରହିଛି । ଖୀରି ସମ୍ପର୍କରେ ଏକ କୌତୁହଳ କାହାଣୀ ରହିଛି । ଆଉ ଦୁଇ ଦିନ ପରେ ଅଲାରନାଥ ଦେବଙ୍କ ଅଣସର ଦର୍ଶନ ଶେଷ ହେବ । ଏଥିପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ବ୍ଯାରିକେଡ ଭିତରେ ଯାଇ ଶ୍ରୀଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଭକ୍ତ ଖିରି ପ୍ରସାଦ ଖାଇ ଆନନ୍ଦିତ । ପୋଲିସ ପ୍ରଶାସନ ଓ ଶ୍ରୀଅଲାରନାଥଙ୍କ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି । ସଂଧ୍ଯାରେ ସାଂସ୍କୃତିକ ଭଜନ ସମାରୋହ ଅନୁଷ୍ଠିତ ହେଉଛି । ଅନବସର ସମୟରେ ହଜାର ହଜାର ଚୈତନ୍ୟଙ୍କ ଭକ୍ତ ପୁରୀରୁ ସଂକୀର୍ତ୍ତନ ଯାତ୍ରା କରି ଶ୍ରୀଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଜୟ ଅଲାରନାଥ, ହରିବୋଲ ଓ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ଅଲାରନାଥ ପୀଠ ପରିସର । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

