ପୁରୀ,୧୨/୭- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ତିନି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।

ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ତିନିରଥର ଘୋଡାର ରଙ୍ଗକାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଚିତ୍ରକାର ସେବକଙ୍କ ଦ୍ବାରା ଘୋଡାର ରଙ୍ଗକାର୍ଯ୍ଯ ଜାରୀ ରହିଛି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଅଶ୍ବମାନେ ହେଲେ-ତୀବ୍ର, ଘୋର,ଦୀର୍ଘ, ଶ୍ରମ ଓ ସ୍ବର୍ଣ୍ଣନାଭ । ରଙ୍ଗ ହେଉଛି କଳା ।ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଶ୍ବର ରଙ୍ଗ ରକ୍ତ ବର୍ଣ୍ଣ। ଅଶ୍ବମାନଙ୍କ ନାମ ହେଉଛି ରୋଚିକା, ମୋଚିକା, ଜିତା, ଅପରାଜିତା ।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଶ୍ବମାନେ ହେଲେ-ଶଙ୍ଖ, ବଳାହକ ,ଶ୍ବେତ ଓ ହରିଦାଶ ।
ଶ୍ବେତ ରଙ୍ଗର ଘୋଡା । ତିନିରଥ ଘୋଡାର ରଙ୍ଗକାର୍ଯ୍ଯ ପରେ ସେମାନେ ଜୀବିତ ଦେଖାଯାଉଛନ୍ତି । ତିନିରଥ ପାଇଁ ଘୋଡା ପ୍ରସ୍ତୁତ ହୋଇଛି । ତିନିରଥରେ ଘୋଡା ଲାଗିବା ପରେ ଡାହୁକ ଡାକକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୁଣିବା ପାଇଁ ବ୍ୟଗ୍ର ହୋଇପଡନ୍ତି । ଡାହୁକ ର ଡାକ ଶୁଣି ଭକ୍ତ ରଥଟାଣେ । ମହାପ୍ରଭୁଙ୍କ ଆଶୀର୍ବାଦ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ଚିତ୍ରକାର ସେବକ ମାନେ ତିନିରଥର ଘୋଡାର ରଙ୍ଗକାର୍ଯ୍ଯରେ ନିମଗ୍ନ ରହିଛନ୍ତି ।

