ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।

ପୁରୀ,୧୦/୭-ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଆରମ୍ଭ ହୋଇଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୧ ଦିନରେ ପହଞ୍ଚିଛି। ଏହା ଆଉ କେବଳ ଏକ ପଦଯାତ୍ରା ନୁହେଁ; ଏହା ଅସଂଖ୍ୟ ଭକ୍ତଙ୍କ ଆଖିର ଲୁହ, ଅଧିକାର ପାଇଁ ନୀରବ ଆହ୍ୱାନ ଓ ଆତ୍ମସମ୍ମାନର ଏକ ଅଦମ୍ୟ ସଂଘର୍ଷରେ ପରିଣତ ହୋଇଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଗୋଟିଏ ମାତ୍ର ପ୍ରଶ୍ନ ପଚାରୁଛି ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି?ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ। ଏହା ପ୍ରତ୍ୟେକ ବିବେକବାନ ମଣିଷଙ୍କ ଅନ୍ତରାତ୍ମାକୁ ସ୍ପର୍ଶ କରୁଥିବା ଏକ ନୈତିକ ଆହ୍ୱାନ। ଏହା ସେହି ଅସଂଖ୍ୟ ସାଧାରଣ ଭକ୍ତଙ୍କ ହୃଦୟର କଥା, ଯେଉଁମାନେ ବିଶ୍ୱାସ କରନ୍ତି—ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ବଡ଼ କିମ୍ବା ଛୋଟ ନୁହେଁ। ୧୦୧ ଦିନର ଏହି ଯାତ୍ରାରେ ଅସଂଖ୍ୟ ପଦଚିହ୍ନ ରାସ୍ତାରେ ମିଶିଯାଇଛି, କିନ୍ତୁ ପ୍ରତ୍ୟେକ ପଦକ୍ଷେପ ଲୋକଙ୍କ ହୃଦୟରେ ଏକ ସ୍ଥାୟୀ ଚିହ୍ନ ରଖିଯାଇଛି। ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନିରେ ରହିଛି ଅଗଣିତ ଲୋକଙ୍କ ଅକୁହା ବେଦନା, ଆଶା ଓ ଅଟୁଟ ବିଶ୍ୱାସ। ଜଗନ୍ନାଥ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ବାର୍ତ୍ତା ଦିଏ। ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରେ, ସେଠାରେ ଦର୍ଶନରେ କାହିଁକି ଭେଦଭାବ? ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ନିଜକୁ ପର ବୋଲି ଅନୁଭବ ନକରୁ ଏହା ହିଁ ଏହି ପଦଯାତ୍ରାର ଏକମାତ୍ର ସଂକଳ୍ପ।ଏହି ଆନ୍ଦୋଳନ କୌଣସି ବିଶେଷ ସୁବିଧା ଦାବି କରୁନାହିଁ। ଏହା କେବଳ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାରର ପୁନଃସ୍ଥାପନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ। ୧୦୦ ଦିନର ଐତିହାସିକ ସୋପାନ ଅତିକ୍ରମ କରି ଆଜି ୧୦୧ତମ ଦିନରେ ଏହି ପଦଯାତ୍ରା ପ୍ରମାଣ କରିଛି ଯେ, ସତ୍ୟ, ଧୈର୍ଯ୍ୟ ଓ ଭକ୍ତିର ଶକ୍ତି କୌଣସି ବାଧାଠାରୁ ବଡ଼। ଏହି ୧୦୧ ଦିନ କେବଳ ସମୟର ଗଣନା ନୁହେଁ; ଏହା ଭକ୍ତିର ତପସ୍ୟା, ନ୍ୟାୟ ପ୍ରତି ଅଟୁଟ ବିଶ୍ୱାସ ଓ ଆତ୍ମସମ୍ମାନର ଏକ ଜୀବନ୍ତ ଦଲିଲ।ଶୁକ୍ରବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ଶିବ ସୁନ୍ଦର ମିଶ୍ର,ଶିଶିରକାନ୍ତ ଶତପଥୀ, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ସନ୍ତୋଷ ସେନାପତି, କିଶୋର ଚନ୍ଦ୍ର ଦାସ, ରମେଶଚନ୍ଦ୍ର ମହାନ୍ତି, ମମତା ସ୍ବାଇଁ, ଅରୁଣା ପଟ୍ଟନାୟକ, ମମତା ଦାସ,ସୁବାଷ ପଟ୍ଟନାୟକ, ବିଜୟ ମିଶ୍ର, ଅମୁଲ୍ୟ ଦାସ, ସନ୍ତୋଷ ସେନାପତି, ପ୍ରଫୁଲ୍ଲ କୁମାର ସାହୁ,ରାମକୃଷ୍ଣ ବେହେରା, ମାନସ ପଟ୍ଟନାୟକ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଥିଲେ, ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ। ଶେଷରେ ଗୋଟିଏ ନୀରବ ପ୍ରଶ୍ନ ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ? ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ। ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।

