ଭାରତୀୟ ରେଳବାଇ ଏହାର ଟ୍ରେନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଶତାବ୍ଦୀ, ରାଜଧାନୀ ଏବଂ ବନ୍ଦେ ଭାରତ ଭଳି ହାଇସ୍ପିଡ୍ ଟ୍ରେନ ପରେ ଭାରତ ଖୁବ୍ ଶୀଘ୍ର ଏଭଳି ଟେକ୍ନୋଲୋଜି ଆପଣେଇବାକୁ ଯାଉଛି ଯାହା ଦେଶର ରେଳ ବ୍ୟବସ୍ଥାକୁ ପରିବେଶ ଅନୁକୂଳ ଏବଂ ଆଧୁନିକ କରିବ । ଭାରତୀୟ ରେଳବାଇ ଏହାର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଲଞ୍ଚ କରିବାକୁ ଯାଉଛି ଯାହା ଶୂନ୍ୟ ପ୍ରଦୂଷଣ, କମ୍ ଶବ୍ଦ ଏବଂ ଉନ୍ନତ ଶକ୍ତି ସହିତ ସାରା ଦେଶରେ ଚାଲିବ ।
ଭାରତୀୟ ରେଳବାଇ ହାଇଡ୍ରୋଜେନ ହେରିଟେଜ ପ୍ରୋଜେକ୍ଟ ଅଧୀନରେ ବହୁ ପରିମାଣରେ ହାଇଡ୍ରୋଜେନ ଟ୍ରେନକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ରେଳବାଇ ପର୍ଯ୍ୟାୟକ୍ରମେ ମୋଟ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିବ । ଭାରତରେ ଏହି ହାଇଡ୍ରୋଜେନ ରେଳ ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ପ୍ରାୟ ୮୯ କିଲୋମିଟର ଦୂରତା ଅତିକ୍ରମ କରିବ ।
ଭାରତୀୟ ରେଳବାଇ ଅନୁଯାୟୀ, ଏହି ରେଳ ପ୍ରାୟ ୨୬୦୦ ଯାତ୍ରୀ କ୍ଷମତା ସହିତ ବିଶ୍ୱର ସର୍ବବୃହତ ହାଇଡ୍ରୋଜେନ ରେଳ ମଧ୍ୟରୁ ଗୋଟିଏ ହେବ । ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କ୍ୟାରେଜ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ଭାରତୀୟ ରେଳବାଇ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ପରୀକ୍ଷଣ ସଫଳତାର ସହ ଶେଷ କରିଛି । ହାଇଡ୍ରୋଜେନ ଚାଳିତ ଟ୍ରେନ ବିକଶିତ କରିବାରେ ଭାରତ ବିଶ୍ୱର ପଞ୍ଚମ ଦେଶ ହେବ । ପୂର୍ବରୁ ଚୀନ୍, ସ୍ୱିଡେନ୍, ଫ୍ରାନ୍ସ ଏବଂ ଜର୍ମାନୀରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ବ୍ୟବହାର କରାଯାଉଥିଲା ।
ଭାରତର ସବୁଠାରୁ ଆଧୁନିକ ଟ୍ରେନ ହେଉଛି ବନ୍ଦେ ଭାରତ । କିନ୍ତୁ ଯଦି ଆମେ ବନ୍ଦେ ଭାରତ ଏବଂ ହାଇଡ୍ରୋଜେନ ଟ୍ରେନର ତୁଳନା କରିବା, ତେବେ ଉଭୟ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ଏବଂ ଟେକ୍ନୋଲୋଜିର ଟ୍ରେନ୍ । ବନ୍ଦେ ଭାରତ ଇଲେକ୍ଟ୍ରିକ, ଆଧୁନିକ ସୁବିଧା ଏବଂ ଦ୍ରୁତ ଗତିରେ ଚାଲିଥାଏ । ଯେତେବେଳେ କି ହାଇଡ୍ରୋଜେନ ଟ୍ରେନ୍ ଉନ୍ନତ ପରିବେଶ, ଶୂନ୍ୟ ପ୍ରଦୂଷଣ, କମ୍ ଶବ୍ଦ ଏବଂ ଉନ୍ନତ ଶକ୍ତି ଦକ୍ଷତା ସହିତ ଚାଲିବ ।
ଭାରତୀୟ ରେଳବାଇର ଏହି ନୂଆ ହାଇଡ୍ରୋଜେନ ଟ୍ରେନରେ ୧,୨୦୦ ହର୍ସପାୱାରର ଇଞ୍ଜିନ ଲାଗିଛି । ଯାହା ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ ଚାଳିତ ଟ୍ରେନରେ ପରିଣତ କରିଛି । ଏହା କେବଳ ଭାରତର ଇଞ୍ଜିନିୟରିଂ କ୍ଷମତାର ଏକ ବଡ଼ ପ୍ରଦର୍ଶନ ନୁହେଁ । ମିଳିଥିବା ସୂଚନା ମୁତାବକ, ହାଇଡ୍ରୋଜେନ ଟ୍ରେନର ଟିକେଟର ମୂଲ୍ୟ ଅଧିକ ହେବ ନାହିଁ । ପ୍ରତ୍ୟେକ ଟ୍ରେନ୍ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର ପରିଚାଳନା ପାଇଁ ଆବଶ୍ୟକ ଗ୍ରାଉଣ୍ଡ ଇନ୍ଫ୍ରାଷ୍ଟ୍ରକଚର ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ।

