ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ନୋଏଡାର ଏକ ହାଇରାଇଜ୍ ସୋସାଇଟିରେ ଏସି ବିସ୍ଫୋରଣ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ସୋସାଇଟିରେ ଲୋକମାନେ ଭୟଭୀତ ହୋଇ ଦୌଡ଼ିଥିଲେ ।
ଖବର ମୁତାବକ, ସୋମବାର ସକାଳେ ସେକ୍ଟର-୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାର ଏକ ଫ୍ଲାଟରେ ହଠାତ୍ ନିଆଁ ଲାଗିଯାଇଥିଲା । ପ୍ରଥମେ ଫ୍ଲାଟରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । କିଛି ସମୟ ମଧ୍ୟରେ ଏହା ଭୟଙ୍କର ଅଗ୍ନିକାଣ୍ଡର ରୂପ ନେଇଥିଲା । ନିଆଁ ପାଖରେ ଥିବା ଅନ୍ୟ ଏକ ଫ୍ଲାଟକୁ ମଧ୍ୟ ବ୍ୟାପିଯାଇଥିଲା ।
ଘଟଣାର ସୂଚନା ପାଇବା ପରେ ଫାୟାର ବ୍ରିଗେଡର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଏସି ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ଅଘଟଣରେ କୌଣସି ଜୀବନହାନି ହୋଇନଥିବା ଜଣାପଡିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡାରେ ନିଆଁ ଲାଗିବା ଘଟଣା ବିଷୟରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ତତ୍କାଳ ଉପଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

