ତିହିଡି: ବିଦ୍ୟୁତ ଯୋଗାଣ ସମ୍ପର୍କରେ ଡବଲ ଇଞ୍ଜିନ ସରକାରଙ୍କ ଡବଲ ଘୋଷଣା । ବିଜୁଳି ବିଲ ବାକି ଥିଲେ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ ଏବଂ ଟ୍ରାନ୍ସଫର୍ମର ଅଚଳ ହେଲେ ତତ୍କ୍ଷଣାତ ମରାମତି କରାଯିବ ହେଲେ ଭଦ୍ରକ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ୧୨ ନମ୍ବର ୱାର୍ଡ ଅଧିନ ସାଟିଉଟି ବଙ୍ଗାଳିପଡା ଗାଁରେ ସପ୍ତାହେ ହେଲା ଟ୍ରାନ୍ସଫର୍ମର ଅଚଳ ହୋଇ ଯାଇଛି । ତେବେ ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ବିଭାଗୀୟ ଲାଇନ୍ମେନ୍ ଏବଂ କନିଷ୍ଠ ଯନ୍ତ୍ରୀ ଅବଗତ ହୋଇଥିବା ବେଳେ ଜଣେ ତଳିଆ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି ହେଲେ ଏଯାବତ ମରାମତି ପ୍ରସଙ୍ଗରେ କୌଣସି ପ୍ରତିକାର କରାଯାଇ ନାହିଁ । ପ୍ରବଳ ଗରମ, ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖିନ ହେଉଥିବା ବେଳେ ଦୈନିକ ଅଂଶୁଘାତର ପ୍ରଭାବ ମଧ୍ୟ ପରିଲକ୍ଷିତ ହେଉଛି । ଏପରିକି ଏହି ଗାଁରେ ଧିରେନ ମାଇତି ନାମକ ଜଣେ ବୃଦ୍ଧ ଶୁକ୍ରବାର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତୀ ହୋଇଥିବା ସାରା ଗାଁ ଲୋକଙ୍କୁ ଚକିତ କରିଛି । ଆବାଳ-ବୃଦ୍ଧ-ବନିତା ଏହି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେତୁ କଷ୍ଟ ପାଉଛନ୍ତି । ଏ ସମ୍ପର୍କରେ ଏସଡିଓ ପ୍ରକାଶ ସାହୁଙ୍କୁ ପଚାରିବାରୁ ପ୍ରଥମେ ଏପରି ଅଘଟଣ ବାବଦରେ ସେ ଅବଗତ ନଥବା କହିଥିଲେ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଆମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଗାମି ରବିବାର ମଧ୍ୟରେ ବିଦ୍ୟୁତ ପୂର୍ବପରି ଚାଲୁ ନହେଲେ ସୋମବାର ଦିନ ପ୍ରତିବାଦ ସ୍ୱରୂପ ଏସଡିଓଙ୍କ କାର୍ଯ୍ୟାଳୟରେ ଗଣଧାରଣାରେ ବସିବେ ବୋଲି ହିତାଧିକାରୀ ଘନଶ୍ୟାମ ମାଇତି, ତପନ ମାଇତି, ରତନ ପରିଡା, ଗୋପାଳ ମାଇତି, ଭରତ ମାଇତି, ଶତୃଘନ ମାଇତି, ଅରବିନ୍ଦ ଖାଡା, ସୁନିଲ ପ୍ରଧାନ, ସୁରେଶ ପ୍ରଧାନ, ନାଲୁ ପ୍ରଧାନ, ନିତାଇ ମାଇତି ଓ ବିଜୟ ପରିଡା ପ୍ରମୁଖ ଚେତାବନି ଦେଇଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

