ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ଆଜି ୫୨ ତମ ଜନ୍ମଦିନ । ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ । ତାଙ୍କ ଜନ୍ମ ଦିନକୁ ନେଇ ରାଜ୍ୟବ୍ୟାପୀ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଜିଲ୍ଲାରେ ଉତ୍ସବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଅଭିନେତାରୁ ରାଜନେତା ହୋଇଥିବା ଏହି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କମଲ ହାସନ ଏବଂ ନୟନଥାରା ସମେତ ରାଜନୈତିକ ଏବଂ ଚଳଚ୍ଚିତ୍ର ଜଗତରୁ ବହୁ ଶୁଭେଚ୍ଛା ମିଳିଛି । ରାଜନୈତିକ ମହଲରେ ଏହା ମଧ୍ୟ ଆଲୋଚନା ହେଉଛି ଯେ ସେ ଏହି ଅବସରରେ କିଛି ନୂତନ ନୀତି ଘୋଷଣା କରିପାରନ୍ତିଥାଲାପତି ବିଜୟ । ତାଙ୍କ ଜନ୍ମଦିନ ପାଳନ ପାଇଁ, ଟିଭିକେର ତାମିଲନାଡୁ ୟୁନିଟ୍ ମନ୍ଦିରରେ ସ୍ୱତନ୍ତ୍ର ପୂଜା, ଖାଦ୍ୟ ଦାନ କାର୍ଯ୍ୟକ୍ରମ, କଲ୍ୟାଣ ସହାୟତା ଏବଂ ବିଭିନ୍ନ ଜନସେବା କାର୍ଯ୍ୟକ୍ରମର ଯୋଜନା ରହିଛି । ଦଳ ଜିଲ୍ଲା ସ୍ତରୀୟ ନେତାମାନଙ୍କୁ ସାମୁଦାୟିକ ସେବା ଉପରେ କେନ୍ଦ୍ରିତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି ।
ତେବେ ବିଜୟ ଏକ ଫିଲ୍ମ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଏସ.ଏ. ଚନ୍ଦ୍ରଶେଖର, ଜଣେ ନିର୍ଦ୍ଦେଶକ । ମାଆ ଶୋଭା ଚନ୍ଦ୍ରଶେଖର ଜଣେ ପ୍ଲେବ୍ୟାକ୍ ଗାୟିକା। ତାଙ୍କର ଜନ୍ମ ୨୨ ଜୁନ୍, ୧୯୭୪ରେ ହୋଇଥିଲା ଏବଂ ତାଙ୍କର ପ୍ରକୃତ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର। ସେ ଶିଶୁ କଳାକାର ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ମୁଖ୍ୟ ଅଭିନେତା ଭାବରେ ତାଙ୍କର ପ୍ରଥମ ଫିଲ୍ମ ‘ନାଳୟ ଥିରପୁ’ ଥିଲା ଯାହାକୁ ସେ ୧୮ ବର୍ଷ ବୟସରେ ସାଇନ୍ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ୬୯ଟି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମର କାହାଣୀଗୁଡ଼ିକ ପ୍ରାୟତଃ ଆଲୋଚନାର ବିଷୟ ହୋଇଯାଏ ଏବଂ ଦର୍ଶକମାନେ ତାଙ୍କ ଚରିତ୍ରଗୁଡ଼ିକୁ ଭଲ ପାଇଛନ୍ତି। ପ୍ରଶଂସକମାନେ ତାଙ୍କୁ ସ୍ନେହରେ ‘ଥାଲାପତି ବିଜୟ’ ବୋଲି ଡାକନ୍ତି ।
ବିଜୟ ଥାଲାପତି ଥେରୀ, ରାଜାଭିନ୍ ପାରାଭାୟିଲେ, ମିନସାରା କନ୍ନା, ବିଷ୍ଟ ଏବଂ ଶାହଜାହାନ ସମେତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ୨୦୨୩ ମସିହାର ଚଳଚ୍ଚିତ୍ର ଲିଓ ଅନେକ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା । ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ରେ ତାଙ୍କ ଅଭିନୟକୁ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଥିଲା । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବିଜୟ ‘ଜନ ନାୟାଗନ୍’ରେ ଅଭିନୟ କରିଥିଲେ, ଯାହାକୁ ତାଙ୍କର ଶେଷ ଚଳଚ୍ଚିତ୍ର ବୋଲି ବହୁଳ ଭାବରେ ଚର୍ଚ୍ଚା ହୋଇଥିଲା ।

