ତିହିଡି : ରାତି ପାହିଲେ ରଜ । ରଜ ପାଇଁ ଉତ୍ସବ ମୁଖର ଗାଁ ଆଉ ସହର । ଚଳିତ ବର୍ଷ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଅଞ୍ଚଳରେ ମହାଆନନ୍ଦରେ ପାଳନ ହେଉଛି ଏହି ରଜପର୍ବ । ପିଠା, ମିଠା ଓ ପଣା ସହିତ ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ। ଆବାଳ-ବୃଦ୍ଧ-ବନିତା ସମସ୍ତେ ମିଠା ରଜ ପାନ ଖାଇଥାନ୍ତି । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗ ବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ବାସ ମସଲାରେ ପ୍ରସ୍ତୁତ ହୋଇଥିବା ଏହି ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥାଏ । ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ପୀରହାଟ ଅଞ୍ଚଳରେ ମିଳୁଥିବା ନିଆଁଲଗା ପାନ ବେଶ ଚର୍ଚ୍ଚିତ ହୋଇଛି। ଏହି ଚର୍ଚ୍ଚିତ ନିଆଁଲଗା ପାନ ଖାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି । ଏହି ପାନର ବିଶେଷତ୍ୱ ହେଉଛି ଗୋଟା ପାନ ଉପରେ ବିଭିନ୍ନ ପ୍ରକାରର ବାସ ମସଲା ଦେବାପରେ ଏକ ସ୍ୱତନ୍ତ୍ର ମସଲା ପକାଯାଏ ଯାହା ଅଗ୍ନି ସଂଶର୍ଷ୍ପରେ ଆସିଲେ ହୁତୁହୁତୁ ହୋଇ ଜଳିଥାଏ । ପାନ ଜଳୁଥିବା ଅବସ୍ଥାରେ ଦୋକାନୀ ଗ୍ରାହକଙ୍କ ପାଟିରେ ପୁରେଇ ଦେଇଥାନ୍ତି । ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ସାଧାରଣ ମିଠା ପାନ ଠାରୁ ଏହି ପାନ ଅଧିକ ସୁଆଦିଆ ବୋଲି ଖାଉଥିବା ଲୋକେ କହିଥାନ୍ତି । ରଜ ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପାନକୁ ବିଭିନ୍ନ ଆକୃତିରେ ତ୍ରିକୋଣ, ଚତ୍ରୁକୋଣ, କଦଳୀ, ମାଛ, ଡ଼ଙ୍ଗା ଭଳି ଆକାରରେ ପାନ ଭଙ୍ଗା ହୁଏ । ବିଗତ କିଛି ବର୍ଷ ହେଲା ପୀରହାଟ ସାଇ ମନ୍ଦିର ପାଖରେ ଥିବା ରଞ୍ଜନ ମିଶ୍ର ନାମକ ଜଣେ ପାନ ଦୋକାନୀ ଗ୍ରାହକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଛନ୍ତି । ପାରମ୍ପରିକ ପାନ ସହିତ ଏବେ ଟିକେ ଆଧୁନିକ ଛୁଙ୍କ ଦେଇ ପ୍ରସ୍ତୁତ କରା ଯାଉଛି ରଜପାନ । ଯାହାର ସ୍ୱାଦ ଖୁବ ନିଆରା । ରଞ୍ଜନଙ୍କ ଦୋକାନରେ ମିଳୁଛି ମ୍ୟାଙ୍ଗୋ ପାନ, ଷ୍ଟବେରୀ ପାନ, ଫାୟାର ପାନ, ଚକଲେଟ ପାନ ଓ ବନାରସି ପାନ ଭଳି ବିଭିନ୍ନ ସ୍ୱାଦର ପାନ। ରଜ ସମୟରେ ଗୋଟିଏ ଗୋଟିଏ ପାନ ଦଶ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

