ଭଦ୍ରକ – ଯୁକ୍ତରାଷ୍ଟ୍ର ଆମେରିକା ସାମ୍ରାଜ୍ୟବାଦ, ପେଟ୍ରୋ ଡଲାର ଅର୍ଥନୀତି, କ୍ଷେତ ଓ ଗ୍ରାମୀଣ ମଜଦୁର ମାନଙ୍କ ଦୁର୍ଦ୍ଦଶା, ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ୍ଆଇଆର୍), ଭାରତୀୟ ମାନଙ୍କ ଭୋଟ ଦେବାର ଅଧିକାର ସଂପର୍କରେ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଭଦ୍ରକ ବ୍ଲକ କମିଟି ପକ୍ଷରୁ ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ଅନ୍ତର୍ଗତ ଜଳଙ୍ଗା ବଜାରରେ ସଂଗଠନର ଭଦ୍ରକ ବ୍ଲକ ସଭାପତି ସୁରେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଏକ ଜନସଭା ଅନୁଷ୍ଠିତ ହୋଇ ଯାଇଛି । ପେଟ୍ରୋ ଡଲାର ଅର୍ଥନୀତି ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ଶାସନ କଳ, ପ୍ରାକୃତିକ ସମ୍ପଦ ଓ ବଜାରକୁ ଦଖଲ କରିବା ଓ ବିଶ୍ବ ପୁଞ୍ଜିବାଦୀ ପେଟ୍ରୋ ଅର୍ଥନୀତିକୁ କେନ୍ଦ୍ରୀୟ ଭାବେ ନିୟନ୍ତ୍ରିତ କରିବା ପାଇଁ କରିଥିବା ଷଡଯନ୍ତ୍ରରେ ମୋଦି ସରକାର ଫସିଯାଇ ଆମ ଦେଶର ସାର୍ବଭୌମତ୍ୱକୁ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ସମର୍ପି ଦେଇଛନ୍ତି । ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା, ଆଦାନୀ, ଅମ୍ବାନୀ ନରେନ୍ଦ୍ର ମୋଦି ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି ଯାହାର ଦୁର୍ଦ୍ଦଶା ଭଦ୍ରକ ଜିଲ୍ଲାର କ୍ଷେତ ଓ ଗ୍ରାମୀଣ ମଜଦୁର ମାନେ ଭୋଗ କରୁଛନ୍ତି ବୋଲି ଏହି ଜନସଭାରେ ଯୋଗଦେଇଥିବା ନେତୃତ୍ବ ପ୍ରକାଶ କରିଥିଲେ । ଋଷ ଓ ଇରାନ ଭାରତକୁ ତୈଳ ଦେବାପାଇଁ ରାଜି ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା କଥାରେ ପରିଚାଳିତ ହୋଇ ଭାରତ ସରକାର ପେଟ୍ରୋଲିୟମ ଜାତ ସାମଗ୍ରୀ ନକିଣି ଆମ ଦେଶରେ ତୈଳ ସଂକଟ ସୃଷ୍ଟି କରି ପେଟ୍ରୋଲ, ଡିଜେଲ, ସିଏନଜି ଓ ଜାଳେଣି ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରିଛନ୍ତି। ପ୍ରଥମେ ଉଜ୍ବଳା ଗ୍ୟାସ ଯୋଯନାରେ ବର୍ଷକୁ ୧୨ଟି ସିଲିଣ୍ଡର, ତାପରେ ଏହା ହ୍ରାସ କରାଯାଇ ବର୍ଷକୁ ୯ ଟି ସିଲିଣ୍ଡର ମିଳୁଥିଲା। ବର୍ତ୍ତମାନ ବର୍ଷକୁ ୧୨ ଟି ଗ୍ୟାସ ସିଲିଣ୍ଡର ବଦଳରେ ୮ ଟି ସିଲିଣ୍ଡର କାଟିଦେଇ ଉଜ୍ବଳାରେ ଅନ୍ତର୍ଭୁକ୍ତ ପରିବାର ଗୁଡିକୁ ବର୍ଷକୁ ମାତ୍ର ୪ ଟି ସିଲିଣ୍ଡର ମିଳିବାର ଘୋଷଣା କରି ସାଧାରଣ ଲୋକଙ୍କ ହାଣ୍ଡିଶାଳକୁ ମୋଦି ସରକାର ଅଚଳ କରିଛନ୍ତି ବୋଲି ନେତୃବୃନ୍ଦ ଅଭିଯୋଗ କରିଥିଲେ । ଆମ ଦେଶ କେଉଁ ଦେଶକୁ କେଉଁ ସାମଗ୍ରୀ ରପ୍ତାନୀ କରିବ, କେଉଁ ଦେଶରୁ କେଉଁ ସାମଗ୍ରୀ ଆମଦାନୀ କରିବ ତାହା ଭାରତ ସରକାର ସ୍ଥିର କରିବା ପରିବର୍ତ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିର କରିବା ଘଟଣାକୁ ସଭାରେ ବକ୍ତାବୃନ୍ଦ ତୀବ୍ର ବିରୋଧ କରିବା ସହ ଭାରତର ସାର୍ବଭୌମତ୍ୱ ଓ ସ୍ୱାଧୀନ ବାଣିଜ୍ୟ ନୀତିର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲାର ଜନସାଧାରଣ ଏକଜୁଟ ହେବାକୁ ବକ୍ତାବୃନ୍ଦ ଆହ୍ୱାନ ଜଣାଇଥିଲେ । ଏହି ଦାବି ଗୁଡିକ ସହ ଏମ୍ଏନ୍ଆରଇଜିଏସ୍ ଯୋଜନାକୁ ପୂର୍ବପରି ଚାଲୁ ରଖିବା, ଖାଦ୍ୟ ନିରାପତ୍ତାର ଗ୍ୟାରେଣ୍ଟି, ସମସ୍ତ ବୃଦ୍ଧ କ୍ଷେତମଜଦୂର ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ, ସମସ୍ତ ଗରିବ ଲୋକଙ୍କୁ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୩ ଶହ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ଗତ ୩ ମାସ ଧରି ଭତ୍ତା ପାଇନଥିବା ଓଡିଶାର ଲକ୍ଷ ଲକ୍ଷ ବୃଦ୍ଧ ବୃଦ୍ଧା, ବିଧବା, ଭିନ୍ନକ୍ଷମ ମାନଙ୍କୁ ତୁରନ୍ତ ଭତ୍ତା ଦେବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଓ ଓଡିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବାକୁ କ୍ଷେତ ଓ ଗ୍ରାମୀଣ ମଜଦୁର ସଂଗଠନ ଏହି ସଭା ମାଧ୍ୟମରେ ଦାବି କରିଥିଲା । ଏହି ଜନସଭାରେ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ ଓ ଯୁବନେତା ବିକାଶ ନାଥ ପ୍ରମୁଖ ଉଦବୋଧନ ଦେଇଥିଲେ ।

