ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୂତନ ଶୁଳ୍କ ନିଷ୍ପତ୍ତିର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଆରମ୍ଭ କରିଛି। ଟ୍ରମ୍ପ୍ ପ୍ରଶାସନ ପୂର୍ବରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ। ଭାରତ ରୁଷିଆରୁ ତେଲ କିଣୁ ଥିବାରୁ ଏବେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଅତିରିକ୍ତ ୨୫% ଟିକସ ଲାଗୁ କରାଯାଇଛି। ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହେବାକୁଥିବା ଏହି ନିଷ୍ପତ୍ତି ଦ୍ବାରା ଭାରତକୁ ମୋଟ ୫୦% ଶୁଳ୍କ ବୋଝ ବହନ କରିବାକୁ ପଡିବ। ଏହି କାରଣରୁ ମଙ୍ଗଳବାର ଦିନ ଷ୍ଟକ୍ ବଜାର ଏକ ବଡ଼ ହ୍ରାସ ସହିତ ଆରମ୍ଭ ହୋଇଛି।
ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ କ୍ରାସ୍ ହୋଇ ଯାଇଛି। କାରବାରର ପ୍ରଥମ ଦିନରେ ନିବେଶକମାନଙ୍କୁ ଏକ ଝଟକା ଲାଗିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୮୧,୩୭୭.୯୧ରେ ଖୋଲିଲା। ଯାହା ଏହାର ପୂର୍ବ ବନ୍ଦ ସ୍ତର ୮୧,୬୩୫.୯୧ ତୁଳନାରେ ଏକ ବଡ଼ ହ୍ରାସ। ପ୍ରାରମ୍ଭିକ କାରବାରରେ ଅଧିକ ଚାପ ଯୋଗୁ ସେନସେକ୍ସ କିଛି ସମୟ ମଧ୍ୟରେ ହ୍ରାସ ପାଇ ୮୧,୦୬୩.୨୬ କୁ ଖସିଯାଇଛି।

