ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ଟ୍ରମା ସେଂଟରରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ଜଣ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କସିପଦା ଅଂଚଳର ମଧୁସୂଦନ ଦଳେଇ ମଧ୍ୟ ସାମିଲ ଥିଲେ । ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ପ୍ରଦାନ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଏହି କ୍ରମରେ ସଦର ତହସିଲ ପକ୍ଷରୁ ସମସ୍ତ ପ୍ରକାର ସରକାରୀ ପ୍ରକ୍ରିୟା ପୂରଣ ପରେ ସ୍ୱର୍ଗତଃ ଦଳେଇଙ୍କ ପରିଚାରକୁ ଚେକ୍ ଆକାରରେ କ୍ଷତିପୂରଣ ବାବଦ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ସଦର ତହସିଲ କାର୍ଯ୍ୟାଳୟରେ ସ୍ୱର୍ଗତଃ ଦଳେଇଙ୍କ ବିଧବା ପତ୍ନୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି । ସ୍ୱଳ୍ପ ଦିନ ମଧ୍ୟରେ ମୃତକଙ୍କ ନିମନ୍ତେ ଘୋଷିତ କ୍ଷତିପୂରଣ ଟଙ୍କା ପ୍ରଦାନ ହୋଇପାରିଥିବାରୁ ବିଧାୟକ ଶ୍ରୀ ଦତ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସଦର ତହସିଲଦାରଙ୍କ ସହ ସ୍ୱର୍ଗତଃ ଦଳେଇଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ

