ବ୍ରହ୍ମପୁର : ସୁଧୀର ହତ୍ୟା ପଛରେ ‘ସାଇଲେଣ୍ଟ୍ ମାଷ୍ଟରମାଇଣ୍ଡ୍’! । ସୁଧୀର ପାତ୍ର ହତ୍ୟାକାଣ୍ଡରେ ୯ ଜଣ ଗିରଫ ପରେ ବି ଅସମାପ୍ତ ରହିଛି ୫ଟି ବଡ଼ ପ୍ରଶ୍ନ! । ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ପୋଲିସ ତାଙ୍କ ସାନ ଭାଇଙ୍କ ଝିଅ ନିବେଦିତା, ପୁତୁରା ତୁଷାର ଏବଂ ନିବେଦିତାଙ୍କ ପ୍ରେମିକ ସମେତ ୯ ଜଣଙ୍କୁ ଗିରଫ କରିଛି । କିନ୍ତୁ ଏହି ଭୟଙ୍କର ହତ୍ୟାକାଣ୍ଡରେ ଏବେ ବି ଏମିତି କିଛି ପ୍ରଶ୍ନ ଅଛି, ଯାହାର ଉତ୍ତର ମିଳିନାହିଁ । ନିବେଦିତା ଏବଂ ତୁଷାର ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ମଧ୍ୟ, ପରିବାରର ଅନ୍ୟ ସଦସ୍ୟମାନେ ଏହି ଷଡ଼ଯନ୍ତ୍ର ବିଷୟରେ କେତେଦୂର ଜାଣିଥିଲେ? ପୋଲିସ ପ୍ରାୟ ୧୯ ଜଣଙ୍କୁ ପଚରାଉଚରା କରିଛି, ତେବେ ଏହି ହତ୍ୟା ପଛରେ ଆଉ କେହି ‘ସାଇଲେଣ୍ଟ୍ ମାଷ୍ଟରମାଇଣ୍ଡ୍’ ଅଛନ୍ତି କି? ଏହି ହତ୍ୟା ପାଇଁ ଓଡ଼ିଶା ବାହାରୁ ସୁରଟ ଓ ଅନ୍ୟ ରାଜ୍ୟ ଭଡ଼ାରୁ ହତ୍ୟାକାରୀ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଏବେ ବି ଫେରାର ଅଛନ୍ତି ।
ସେମାନଙ୍କ ପରିଚୟ କ’ଣ ଏବଂ ସେମାନେ ସୁଧୀରଙ୍କୁ କିଭଳି ନିର୍ଯାତନା ଦେଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ନିବେଦିତାଙ୍କ ସନ୍ଦେହ ଥିଲା ଯେ, ସୁଧୀର ଗୁଣିଗାରେଡ଼ି କରି ତାଙ୍କ ବାପା ମନୋଜଙ୍କୁ ମାରିଦେଇଛନ୍ତି । କିନ୍ତୁ ମନୋଜଙ୍କ ମୃତ୍ୟୁ ପ୍ରକୃତରେ ଅସୁସ୍ଥତା ଯୋଗୁଁ ହୋଇଥିଲା ନା ଏହା ପଛରେ କୌଣସି ରହସ୍ୟ ଥିଲା, ତାହା ଏବେ ବି ଅସ୍ପଷ୍ଟ । ଏହା କେବଳ ଏକ ଅନ୍ଧବିଶ୍ୱାସ ନା ସମ୍ପତ୍ତି ପାଇଁ ଏକ ବାହାନା? ଅଭିଯୁକ୍ତମାନେ ୨ କୋଟି ଟଙ୍କା ମାଗିଥିଲେ ଏବଂ ସୁଧୀରଙ୍କୁ ନିର୍ଯାତନା ଦେବାର ଭିଡିଓ ପଠାଇଥିଲେ । ପରିବାର ଲୋକେ ଟଙ୍କା ଯୋଗାଡ଼ କରିଥିଲେ ମଧ୍ୟ ହତ୍ୟାକାରୀମାନେ ଟଙ୍କା ନେବାକୁ ଆସିଲେ ନାହିଁ କାହିଁକି? ପୋଲିସର ଭୟ ନା ନିଜ ନିଜ ମଧ୍ୟରେ ସମନ୍ୱୟର ଅଭାବ, କେଉଁ କାରଣ ପାଇଁ ସେମାନେ ଟଙ୍କା ନେଲେ ନାହିଁ? କେତାମାଣି ପାହାଡ଼ ନିକଟରୁ ସୁଧୀରଙ୍କ ଗଳିତ ମୃତଦେହ ମିଳିଥିଲା । ମୃତଦେହକୁ କେଉଁ ଗାଡ଼ିରେ ଏବଂ କିଭଳି ଭାବେ ନିଆଗଲା? ଏହି ସମୟରେ କେହି ସାକ୍ଷୀ ସେମାନଙ୍କୁ ଦେଖିଥିଲେ କି? ଏତେ ବଡ଼ ଷଡ଼ଯନ୍ତ୍ର ପାଇଁ ଟଙ୍କା କେଉଁଠୁ ଆସିଲା? ଏହିସବୁ ଡିଜିଟାଲ୍ ଏବଂ ଫରେନ୍ ସିକ୍ ପ୍ରମାଣ ଏବେ ବି ତଦନ୍ତ ସାପେକ୍ଷ । ପୋଲିସର କହିବା ଅନୁଯାୟୀ ତଦନ୍ତ ଶେଷ ପର୍ଯ୍ୟାୟରେ ଅଛି । ଫେରାର ଅଭିଯୁକ୍ତମାନେ ଧରାପଡ଼ିବା ପରେ ହିଁ ଏହି ରହସ୍ୟମୟ ପରିବାରିକ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସିବ ।

