ତିହିଡ଼ି,୦୫.୦୪ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଶତପଥି ସାହିରେ ଗତ ୨୬ ତାରିଖରେ ଘରୋଇ ଗ୍ୟାସ ଲିକ ଦୁର୍ଘଟଣାରେ ଗୁରୁତର ଆହତ ଭାର୍ଗବୀ ଶତପଥି (୩୨) ଭୁବନେଶ୍ୱର ଏମସରେ ଶନିବାର ରାତ୍ରି ସାଢ଼େ ଦଶଟା ସମୟରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ ଗତକାଲି ହାଇଟେକରୁ ଏମସ ସ୍ଥାନାନ୍ତର କରା ଯାଇଥିଲା । ଭାର୍ଗବୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମକୁ ଅଣା ଯାଇଛି । ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ରବିବାର ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି । ତାଙ୍କର ୮ ବର୍ଷର ପୁତ୍ର ଅଜୟ ଆଜି ମୁଖାଗ୍ନି ଦେଉଥିବା ବେଳେ ଉପସ୍ଥିତ ଲୋକେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ସୂଚନା ଥାଉକି, ଗତ ୨୬ ତାରିଖରେ ଉଦୟ ଶତପଥିଙ୍କ ଘରେ ରୋଷାଇ ଗ୍ୟାସ ସିଲିଣ୍ଡର ମରାମତି କରୁଥିଲେ । ଏହି ସମୟରେ କିଛି ଗ୍ୟାସ ବାହାରି ରୋଷେଇ ଘରେ ରହିଥିଲା । ଗ୍ୟାସ ଚୁଲା ଲଗାଇବା ମାତ୍ରେ ଘର ଭିତର ଜଳି ଉଠିଥିଲା । ଉଦୟ, ଭାର୍ଗବୀ ଓ ସେମାନଙ୍କର ୧୨ ବର୍ଷର କନ୍ୟା ସ୍ନେହାଞ୍ଜଳି ପୋଡ଼ି ଯାଇଥିଲେ । ଉଦୟ ଓ ସ୍ନେହାଞ୍ଜଳି ସଂପ୍ରତି ଏମସରେ ଚିକିତ୍ସାଧିନ ଅଛନ୍ତି ।

