ଯାଜପୁର: ଖରସ୍ରୋତାରେ ଜଗିଛି ରକ୍ତମୁଖା କୁମ୍ଭୀର । ଦୁଇ ଦିନରେ ଦୁଇଟି ଅଘଟଣ । ନଦୀକୁ ଯିବାକୁ ବାରଣ କଲା ବନ ବିଭାଗ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖରସ୍ରୋତା ନଦୀର କୁଜିବର ଘାଟରେ କୁମ୍ଭୀର ଆତଙ୍କ । ବୁଧବାର ନଈକୁ ଗାଧୋଇବାକୁ ଯାଇଥିବା ଜଣେ ଶ୍ରମିକଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର । ତେବେ ସେ ଜୀବନ ବଞ୍ଚାଇ ଫେରି ଆସିଥିଲେ । ସେହିପରି ଗୁରୁବାର ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଆଉ ଏକ ଅଘଟଣ ଘଟିଥିଲା । ନଦୀରେ ପଶିବା ମାତ୍ରେ ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର ।
ପାଖରେ ପଡ଼ିଥିବା ଏକ ପଥର କୁମ୍ଭୀର ମୁହିଁକୁ ଆକ୍ରମଣ କରି ନିଜକୁ ଉଦ୍ଧାର କରିଥିଲେ ସେ । ଉଭୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଘଟଣା ପରେ କୁମ୍ଭୀରକୁ ନେଇ ନଦୀକୁଳିଆ ଲୋକେ ଭୟଭୀତ । ବନ ବିଭାଗ ପକ୍ଷରୁ ଆଜି ଦିନ ତମାମ କୁମ୍ଭୀରର ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି । ରକ୍ତମୁଖା କୁମ୍ଭୀରକୁ ବନ ବିଭାଗ ଏଯାଏଁ ଠାବ କରିପାରି ନାହିଁ ।

