ତିହିଡି, ୨୪.୦୩ : ବାଇକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଭଦ୍ରକ-ଚାନ୍ଦବାଲି ରାଜପଥ କୋହ୍ଲ ଠାରେ ଅବରୋଧ । ତିହିଡି ଥାନା ଅଧିନ କୋହ୍ଲ ବଜ଼ାର ଠାରେ ବୁଧବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉତ୍ୟକ୍ତ ହୋଇ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ମୃତକଙ୍କ ବିଧବା ପତ୍ନୀଙ୍କୁ ଥଇଥାନ ସହ ଭତ୍ତା ପ୍ରଦାନ, ହମ୍ପସ ନିର୍ମାଣ ଏବଂ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରିବା ଦାବି ହୋଇଥିଲା । ସୂଚନା ମୁତାବକ, ଗତକାଲି ମଙ୍ଗଳବାର ଅପରାହ୍ନରେ କୋହ୍ଲ ପଞ୍ଚାୟତ ଓରଡ଼ା ଗ୍ରାମର ଆଦିତ୍ୟ ମହାଳିକ ଘରୁ ବାଇକ୍ ଯୋଗେ କମାରିଆ ଆଡକୁ ଯାଉଥିଲେ । ବାଟରେ କୋହ୍ଲ ବଜ଼ାର ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ବେଳେ ତିହିଡି ଅଭିମୁଖେ ଦୂତ ଗତିରେ ଯାଊଥିବା ଏକ ବାଇକ ତାଙ୍କୁ ଖୁବ ଯୋରରେ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡି ଓ ପରେ କଟକ ବଡ଼ ମେଡ଼ିକାଲକୁ ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଆଦିତ୍ୟ ସ୍ଥାନୀୟ ମଙ୍ଗଳପୁର ସେବା ସମବାୟ ସମିତିର ପରିଚାଳନା କମିଟିର ସଦସ୍ୟ ଥିଲେ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୁଧବାର ମଧ୍ୟାହ୍ନରେ ଗ୍ରାମରେ ତାଙ୍କ ଶବ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକେ କୋହ୍ଲ ଠାରେ ରାଜପଥ ଅବରୋଧ କରିଥିଲେ । ଶବ ଆସିବା ପରେ ରାଜପଥରେ ଶବ ରଖି ଆନ୍ଦୋଳନ କରିଥିଲେ। ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ତିହିଡି ପୋଲିସ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବାପରେ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ପରେ ଆଦିତ୍ୟଙ୍କ ଶବ ସତ୍କାର କରାଯାଇଥିଲା ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ।

