ତିହିଡି, ୧୪.୦୩: ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଦକପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ବାଡ ପୋତି ଯାତାୟତ ବନ୍ଦ କରା ଯାଇଥିବା ନେଇ ତୁମୂଳ ସଂଘର୍ଷ ଘଟିଛି । ଏଥିରେ ଉଭୟ ପକ୍ଷରୁ ୭ ଜଣ ଆହତ ହେବା ସହିତ ପ୍ରଥମ ପକ୍ଷରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇ ଦୀର୍ଘଦିନ ହେବ କଟକରେ ଚିକିତ୍ସିତ ହେଉଛନ୍ତି ଏବଂ ସଂପ୍ରତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଯୋଗ ହୋଇଛି । ପୋଲିସର ଭୂମିକା ଉପରେ ସ୍ଥାନୀୟ ଲୋକେ ଅଙ୍ଗୁଳି ନିର୍ଦ୍ଦେଶ କରି ଆସୁଥିବା ବେଳେ ପୀଡିତା ପରିବାର ଏସପିଙ୍କ ସ୍ୱତନ୍ତ୍ର ତଦନ୍ତ ଦାବୀ କରିଛନ୍ତି । ପ୍ରଥମ ପକ୍ଷ ନିରଞ୍ଜନ ଦାସଙ୍କ ପରିବାର ଚାରି ପୁରୁଷ ଧରି ସେଠାରେ ଘର କରି ବସବାସ କରି ଆସୁଛନ୍ତି । ଅପରପକ୍ଷ ମୁଷ୍ଟିମେୟ ତଥା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥନ ପାଇ ଉକ୍ତ ପରିବାରର ଘର ଆଗରେ ବାଡ ପୋତିବାରୁ ଯାତାୟତ ବନ୍ଦ ହୋଇ ଯାଇଛି । ପ୍ରଥମପକ୍ଷ ଏହାର ପ୍ରତିବାଦ କରିବାରୁ ଅପରପକ୍ଷ କାଞ୍ଚନ ଦାସ, ହଂସି ଦାସ, ଅଭୟ ସେଠୀ ଓ ବାପୁ ସେଠୀ ପ୍ରମୁଖ ମିଳିତଭାବେ ଗତ ଫେବୃଆରୀ ମାସ ୨୦ ତାରିଖରେ ଆକ୍ରମଣ କରିଥିଲେ । ନିରଞ୍ଜନ ଦାସଙ୍କ ପୁଅ ଜୀବନ ସେଠୀଙ୍କ ସ୍ତ୍ରୀ ମିଲି ସେଠୀଙ୍କ ଏତଲା ମୂଳେ ଥାନାରେ ଏକ ମାମଲା ୪୫/୨୬ ରୁଜୁ ହୋଇଛି ହେଲେ ପୋଲିସ କୌଣସ ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ଫଳ ଶୂନ୍ । ପରେ ଗତ ୨୫ ତାରିଖ ସଂଧ୍ୟାରେ ପ୍ରଥମ ପକ୍ଷ ଥାନାରେ ଅନଶନରେ ବସିଥିଲେ । ଗ୍ରାମର ଭଦ୍ରଲୋକଙ୍କ ହସ୍ତକ୍ଷେପରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ସେମାନେ ଘରକୁ ଫେରିଥିଲେ । ତେବେ ଘର ଆଗପଟ ବାଡ ଦିଆ ଯାଇଥିବାରୁ ଅନ୍ୟ ଜଣକ ଜାଗା ଦେଇ ପଛପଟରେ ଯିବା ଆସିବା କରୁଥିଲେ । ପରେ ସମାଧାନ ହେଲା ନାହିଁ ବରଂ ପୂନଶ୍ଚ ଗତ ତା ୦୬.୦୩.୨୬ରିଖରେ ଅପରପକ୍ଷର ୧୩ ଜଣ ସଂଘବଦ୍ଧ ଭାବରେ ଭୁଜାଲୀ, ବାଡି, ଠେଙ୍ଗା, ଇଟା ଓ ପଥର ଜରିଆରେ ଆକ୍ରମଣ କରିଥିଲେ । ବୃଦ୍ଧ ନିରଞ୍ଜନଙ୍କ ସମେତ ତାଙ୍କ ସ୍ତ୍ରୀ, ବୋହୁ ଓ ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ଘଟଣାକୁ ନେଇ ପୋଲିସ ଆଉ ଏକ ମାମଲା ୫୪/୨୬ ରୁଜୁ କରିଛ । ବୃଦ୍ଧାଙ୍କ ଜୀବନ ସଂପ୍ରତି ସଂକଟାପନ୍ନ । ସଂପ୍ରତି କଟକରେ ଚିକତ୍ସାଧିନ ଅଛନ୍ତି । ଅଭିଯୁକ୍ତମାନଙ୍କ ଭୟରେ ଘରେ କେହି ରହୁ ନାହାଁନ୍ତିି । ପୋଲିସ ସୁରକ୍ଷା ଦେବା ତ ଦୂରର କଥା ଏଯାବତ ସଠିକ୍ ଭାବେ କ୍ଷେତ୍ରୀୟ ତଦନ୍ତ କରାଯାଇ ନଥବା ଅଭିଯୋଗ ହୋଇଛି । ଏସପି ଯଦି ସ୍ୱତନ୍ତ୍ର ତଦନ୍ତ କରନ୍ତି ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରନ୍ତା ବୋଲି ନିରଞ୍ଜନ ଦାସଙ୍କ ବିବାହିତା ଝିଅ ଚମ୍ପକଲତା ସେଠୀ ଦାବୀ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

