ତିହିଡି, ୧୨.୦୩: ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁରେ ଜଣେ ଗର୍ଭବତୀ ମହଳାଙ୍କୁ ସ୍ୱାମୀ ସମେତ ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ନଦୀକୁ ଫିଙ୍ଗି ଦେଇଥିଲେ ଏବଂ ଦୁଇଦିନ ପରେ ଶବ ମିଳିବା ପରେ ବାପ ଘରଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା(୫୯/୨୬) ଦଫା ୮୫, ୧୦୩(୧), ୮୦(୨) ବିଏନଏସ ଏବଂ ୪ ଯୌତୁକ ଜନିତ ରୁଜୁ କରି ମହିଳାଙ୍କ ସ୍ୱାମୀ ମାନସ ଦାସଙ୍କୁ ଗିରଫ୍ କରି ଗୁରୁବାର କୋର୍ଟ ଚାଲାଣ କରିଛି । ମୃତା କାମିନୀଙ୍କ ସ୍ୱାମୀ ସମେତ ଶ୍ୱଶୁର ନିରାକାର ଦାସ, ଶାଶୁ ଦମୟନ୍ତୀ ଦାସ, ଦିଅର ଅରୁପାନନ୍ଦ ଦାସ, ଚନ୍ଦନ ଦାସ, ଲୋକେଶ ଦାସ ଓ ବିବାହିତା ନଣଦ କାଜଲ ଦାସଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ତେବେ ପୋଲିସର ଉକ୍ତ ପଦକ୍ଷେପରେ ମହିଳାଙ୍କ ବାପ ଘରଲୋକେ ସନ୍ତୁଷ୍ଟ ନୁହଁନ୍ତି । ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ସହ ଯୌତୁକ ସାମଗ୍ରୀ ଫେରସ୍ତ ଦାବୀ କରିଛନ୍ତି । ସୂଚନା ମୁତାବକ, ସାପକାତିଆ ଗାଁର ରମେଶ ଚନ୍ଦ୍ର ଦାସଙ୍କ ଝିଅ କାମିନୀ ଦାସ(୨୨) ଗତ ଦୁଇ ବର୍ଷ ତଳେ ସେହି ଗାଁର ମାନସ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ପରେ ବାପ ଘରଲୋକେ ନାନାଦି ଜାନିଯୌତୁକ ଦେଇ ତାଙ୍କ ପରିବାର ସହିତ ସମ୍ପର୍କ ରଖିଥିଲେ । ବିବାହର ମାତ୍ର କେଇଦିନ ପରେ ଅଧିକ ଯୌତୁକ ଦାବିକରି କାମିନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ପ୍ରଥମ ଗର୍ଭରେ କାମିନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ମାତ୍ର ଚିକିତ୍ସା ଅଭାବରୁ କିଛିଦିନ ପରେ ତାର ମୃତ୍ୟୁ ହୋଇଥିଲା । ସଂପ୍ରତି କାମିନୀ ୪ ମାସର ଗର୍ଭବତୀ ଥିଲେ । ଗତ ୭ ତାରିଖ ସକାଳ ପ୍ରାୟ ୭.୧୫ ଘଟିକାରେ କାମିନୀ ନଦୀକୁ ଡେଇଁ ପଡି ମୃତ୍ୟୁ ବରଣ କରିଥିବା ତାଙ୍କ ଶାଶୁ ଠାରୁ ଶୁଣିବାକୁ ପାଇଥିଲେ । ସେଥିରେ ବାପ ଘରଲୋକେ ବିଶ୍ୱସ ନକରି ଗ୍ରାମବାସୀଙ୍କ ସହ ନଦୀରେ ଖୋଜାଖୋଜି କରି ବିଫଳ ହୋଇ ଥାନାରେ ଏତଲା ଦେଇଥିଲେ । ପରେ ୯ ତାରିଖରେ ନଦୀରେ ଶବର ସନ୍ଧାନ ପାଇବା ପରେ ପୋଲିସ ଓ ଓଡ୍ରାପ୍ଟ ଟିମ୍ର ଉଦ୍ୟମରେ ଶବକୁ ଉଦ୍ଧାର କରା ଯାଇଛି । ଶବର ପଞ୍ଚନାମା କରାଯାଇ ୧୦ ତାରିଖରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ଶ୍ୱଶୁର ଘର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

