: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଞ୍ଚାୟତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ସରପଞ୍ଚ ସୁପ୍ରଭା ପାଣିଙ୍କ ନେତୃତ୍ବରେ ଶତାଧିକ ମହିଳା ସାମିଲ ହୋଇ ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସେନବାଡ ଓ ନୂଆପାଟଣା ପରିକ୍ରମଣ କରିବା ସହ ସଚେତନତା ସୃଷ୍ଟି କରିଥିଲେ। ପରେ ସ୍ଥାନୀୟ ବିଜୟଶ୍ରୀ କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଇତିହାସର ଫର୍ଦ୍ଦ ଲେଉଟାଇଲେ ଅନେକ ସ୍ଵାଭିମାନୀ, ସାହସୀ, ତେଜସ୍ଵିନୀଙ୍କ ପରି ନାରୀମାନଙ୍କର ସଂଘର୍ଷର ଲଢେଇ ସାମନାକୁ ଆସେ। ରାଣୀ ଲକ୍ଷ୍ମୀବାଈ ହୁଅନ୍ତୁ କି ଦୁର୍ଗାବତୀ, ସୁକଦେଈ, ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧି, କଳ୍ପନା ଋୱଲା ଓ କିରଣ ବେଦୀଙ୍କ ଭଳି ଦୃଢ ସଂକଳ୍ପ ଓ ସାହସବାଦୀ ନାରୀମାନଙ୍କ ଉଦାହରଣ ମାନସପଟରେ ଚିତ୍ରଣ ହୋଇଯାଏ। ପୁରାଣ ଇତିହାସରେ ମଧ୍ୟ ସୀତା ଓ ଦ୍ରୌପଦୀଙ୍କ ଭଳି ଅନେକ ନାରୀ ସେମାନଙ୍କ ସାହସ ଓ ସ୍ଵାଭିମାନର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ତ୍ୟାଗ ଓ ବଳିଦାନ ଆଜି ବି ସମାଜ ପାଇଁ ଉଦାହରଣ। ନାରୀ ସ୍ଵାଭିମାନକୁ ସମ୍ମାନ ଜଣାଇ ତଥା ସେମାନଙ୍କ ପରାକାଷ୍ଠାକୁ ସ୍ମରଣ କରି ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ସାରା ବିଶ୍ୱ ପାଳନ କରେ। ସାମାଜିକ, ଅର୍ଥ ନୈତିକ, ସାଂସ୍କୃତିକ ଏବଂ ରାଜନୈତିକ କ୍ଷେତ୍ରରେ ମହିଳା ମାନଙ୍କର ସଫଳତାକୁ ସ୍ଵିକୃତୀ ଜଣାଇବା ସହ ସମାଜରେ ସଚେତନ ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ମହିଳା ପାଠୋଇ ହେଲେ ଦେଶ ଆଗେଇବ ଓ ମହିଳାମାନେ ପାରିବାରିକ ହିଂସା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆ ଯାଇଥିଲା। ସାମାଜିକ କର୍ମୀ ରଞ୍ଜୁଲତା ଗାହାଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ବିଡିଓ ମୀନକେତନ ବାରିକ, ସରପଞ୍ଚ ସୁପ୍ରଭା ପାଣି, ପିଇଓ ରମାକାନ୍ତ ଦାସ, ସିଏଚଓ ରଞ୍ଜିତା ପଣ୍ଡା, ସ୍ବାସ୍ଥ୍ଯ କର୍ମୀ ପଦ୍ମାବତୀ ରାଉତ, ମହିଳା ମହାସଂଘର ସଭାନେତ୍ରୀ ସୁକାନ୍ତୀ ବାରିକ, ଏମଡିକେ ସଂଧ୍ୟାରାଣୀ ବାରିକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ, ବିଷ୍ଣୁପ୍ରିୟା ରାଉଳ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ଯ ରଖିଥିଲେ। ମହିଳାମାନଙ୍କ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ମହିଳାମାନଙ୍କ ମଧ୍ଯରେ କେତେକ ବିଷୟ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ବ ଅର୍ଜନ କରିଥିବା ମହିଳାମାନଙ୍କୁ ପୁରଷ୍କତ କରା ଯାଇଥିଲା। ସଂଧ୍ୟାରାଣୀ ରାଉଳ, ମମତା ବାରିକ, କୁମୁଦିନୀ ବେହେରା, ସିମାଞ୍ଚଳ ବେହେରା, ପଙ୍କଜିନୀ ସାହୁ, ସୁକାନ୍ତି ଭୋଇ, ରାଜଶ୍ରୀ ଦାସ, ଅନୁପମା ଦାସ, ସଞ୍ଜୁଲତା ଦାସ, କୃତିବାସ ଦାସ, ଶରତ ଲେଙ୍କା, କପିଳେନ୍ଦ୍ର ବାରିକ, ଦେବାଶିଷ ଦାସ, ସୁଧାକର ଜେନା, ଅଜୟ ସାହୁ, ପ୍ରଦୀପ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

