କୋଟପାଡ଼: ପତଳା ଶରୀର । ଚମ ଧୁଡୁ ଧୁଡୁ ହୋଇଗଲାଣି । ବୟସ ୭୨ରେ ପହଞ୍ଚିଲାଣି । କିନ୍ତୁ ହାର ମାନିନି ମନୋବଳ । ଲୋକଙ୍କ ସେବା ପାଇଁ ପାଦରେ ଚାଲି ଚାଲି ବାହାରି ପଡ଼ିଛନ୍ତି । ଘର ନାହିଁ । ଜରି ପାଲ ତଳେ ବିତୁଛି ଜୀବନ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା ବର୍ଷା ଶୀତ କାକର ସିଧା ଆସି ମୁହଁ ଉପରେ ପଡ଼ୁଛି । ତଥାପି ସାହାରା ଏଇ ଜରିପାଲ ଖଣ୍ଡିକ । ସେପଟେ ଘରର କାନ୍ଥ ଭାଙ୍ଗି ଯାଇଛି । କେତେବେଳେ ସାପ ବେଙ୍ଗ ପଶୁଛନ୍ତି ତ କେତେବେଳେ ବିଶାକ୍ତ ଜୀବ ପଶୁଛନ୍ତି । କିନ୍ତୁ ନିଜ ଦୁଃଖକୁ ଭୁଲି ଲୋକଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏ ବୃଦ୍ଧା ମହିଳା । ଯେଉଁ ବୟସରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା କଥା ସେହି ବୟସରେ ବାହାରିଛନ୍ତି ଲୋକଙ୍କ ସେବା ପାଇଁ ।
ଏ ବୃଦ୍ଧା ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟା କନକ ଲତା ପେଣ୍ଠିଆ । ୪୦ ବର୍ଷ ପୂର୍ବେ ସମାଜ ସେବା କରିବା ପାଇଁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏବେ ପର୍ଯ୍ୟନ୍ତ ନିସ୍ବାର୍ଥପର ଭାବରେ ଲୋକଙ୍କ ସେବା କରି ଆସୁଛନ୍ତି । ଅନ୍ୟକୁ ଘର ଯୋଗାଇ ଆସୁଛନ୍ତି ହେଲେ ନିଜେ ରହୁଛନ୍ତି ଭଙ୍ଗା ଦଦରା ଘରେ । ଅନ୍ୟକୁ ଦେବା ପାଇଁ ଜାଣିଛନ୍ତି କିନ୍ତୁ ପାଇବା ପାଇଁ ତାଙ୍କର କିଛି ବି ଆଶା ନାହିଁ ।
ଦୁର୍ଗମ କୁନ୍ଦୁରା ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ଠାରୁ ଆରମ୍ଭ କରି ଅଞ୍ଚଳର ଲୋକ କଳା ସଂସ୍କୃତି, ପରମ୍ପରାର ସୁରକ୍ଷା ତଥା ବାଲ୍ୟ ବିବାହ ବନ୍ଦ କରିବା, ନିଶା ନିବାରଣ ପାଇଁ ୧୯୭୫ରେ ଚେଷ୍ଟା ଆରମ୍ଭ କରିଥିଲେ । ଏବେ ପର୍ଯ୍ୟନ୍ତ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି କନକ । ୪୦ ବର୍ଷର ରାଜନୈତିକ ଜୀବନ ମଧ୍ୟରେ ସରପଞ୍ଚ, ସମିତିସଭ୍ୟା, ବ୍ଳକ ଚେୟାରମ୍ୟାନ ଭଳି ବିଭିନ୍ନ ପଦବୀରେ ରହି ଲୋକଙ୍କ ସେବା ପାଇଁ ଜୀବନକୁ ଉତ୍ସର୍ଗ କରି ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କନକ ଲତା ।
ଲୋକଙ୍କ ସେବା ପାଇଁ ନିଜ ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଅତି ସାଧାରଣ ଜୀବନ ଯାପନ କରୁଛନ୍ତି କନକ ଲତା । ଆଗକୁ ମଧ୍ୟ ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ସମାଜ ସେବା ଜାରି ରଖିବା ନେଇ ଲକ୍ଷ୍ୟ ରଖିଛନ୍ତି ୭୨ ବର୍ଷ ବୟସ୍କା ମହିଳା କନକଲତା ପେଣ୍ଠିଆ ।

