ଗଞ୍ଜାମ: କମୁଛି ବନ୍ୟାଜଳ, ହେଲେ ସରୁନି ଦୁର୍ଦ୍ଦଶା । ଗଞ୍ଜାମରେ ବନ୍ୟା ପରେ ବଢ଼ିଲା ଦୁର୍ଦ୍ଦଶା । ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ବିଦ୍ୟୁତ୍ ସେବା, ଖାଦ୍ୟ ଓ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ବିପନ୍ନ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ପରେ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିବା ଗଞ୍ଜାମ ଜିଲ୍ଲାରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇନାହିଁ । ବିଶେଷକରି ଆସିକା ସହର ଓ ସୋରଡ଼ା ବ୍ଲକର ଅନେକ ଅଞ୍ଚଳ ଜଳବନ୍ଦୀ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ବନ୍ୟାଜଳ । ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଯାତାୟାତ ବ୍ୟବସ୍ଥା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି ।
ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪୩ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୨୩ ହଜାର ୩୦୦ରୁ ଅଧିକ ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏବେବି ଅନେକ ଗାଁ ଓ ଜନବସତିରେ ଲୋକେ ପାଣିଘେରରେ ରହିଛନ୍ତି । ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବଡ଼ ଆହ୍ୱାନ ପାଲଟିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆସିକା ସହର । ଋଷିକୁଲ୍ୟା ଓ ବଡ଼ନଦୀର ବନ୍ୟାଜଳ ସହରର ବିଭିନ୍ନ ସାହି, ବଜାର, ବସ୍ ଷ୍ଟାଣ୍ଡ ଓ ତଳିଆ ଅଞ୍ଚଳରେ ପଶିଥିଲା । ଗୁରୁବାର କେତେକ ସ୍ଥାନରେ ୧୦ରୁ ୧୨ ଫୁଟ୍ ପର୍ଯ୍ୟନ୍ତ ପାଣି ରହିଥିବା ବେଳେ ଶୁକ୍ରବାର ଏହା ୬ରୁ ୭ ଫୁଟ୍ କୁ ଖସିଥିଲା । ତଥାପି ଅନେକ ଘର ଏବେ ବି ପାଣିଘେରରେ ରହିଛି ।
ଡଙ୍ଗା ସାହାଯ୍ୟରେ ଉଦ୍ଧାରକାରୀ ଦଳ ଲୋକଙ୍କ ପାଖରେ ପହଞ୍ଚି ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ସୋରଡ଼ା ବ୍ଲକରେ ମଧ୍ୟ ସମାନ ସ୍ଥିତି । ପାଲକାଟୁ, ନୂଆଗାଁ, ତାତାବାଲି ଓ ସୁରମଣି ସମେତ ଅନେକ ଗାଁରେ ବନ୍ୟା ପାଣି ଜମି ରହିଛି । ସୋରଡ଼ା ସହରର କେତେକ ଅଞ୍ଚଳ ମଧ୍ୟ ଜଳମଗ୍ନ । ଅନ୍ୟପଟେ ଋଷିକୁଲ୍ୟା ନଦୀର ଜଳସ୍ତର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିଲା । ପୁରୁଷୋତ୍ତମପୁର ନିକଟରେ ବିପଦ ସଙ୍କେତ ପ୍ରାୟ ୧୭ ମିଟର ଥିବା ବେଳେ ଜଳସ୍ତର ପାଖାପାଖି ୧୯ ମିଟର ଛୁଇଁଥିଲା । ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହୋଇଛି । ଜାତୀୟ ରାଜପଥ ୩୨୬ର କେତେକ ଅଂଶ ଧୋଇଯାଇଥିବା ବେଳେ ସାନଖେମୁଣ୍ଡିର ପଳାଶପୁର ପୋଲ ଭାସିଯିବାରୁ ଦିଗପହଣ୍ଡି-ଆସିକା ଯୋଗାଯୋଗ ପ୍ରଭାବିତ ହୋଇଛି ।

