ତିହିଡି, ୨୧.୦୨: ମିଲର ଧାନ ଲିପ୍ଟିଂ କରୁନାହିଁ । ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । ଆସନ୍ନ ଝଡବାତ୍ୟାକୁ ନେଇ ଚିନ୍ତାରେ ମଣ୍ଡି କର୍ତ୍ତୃପକ୍ଷ । ସେପଟେ ଟୋକନ୍ ଲାପସ୍ ହେବା ଭୟରେ ଚିନ୍ତାରେ ଚାଷୀ । ଅନ୍ୟପଟେ ଧାନ ବିକି ଆଖି ସ୍କାନ୍ କରିଥିଲେ ମଧ୍ୟ ଚାଷୀଙ୍କୁ ମିଳୁନାହିଁ ଟଙ୍କା । ପ୍ରାୟ ୩୦ ପ୍ରତିଶତ ଚାଷୀଙ୍କ ଧାନ କିଣା ଯାଇଛି । ବଳକା ଧାନକୁ କେବେ ନେବ ମଣ୍ଡି ଏବଂ ଚାଷୀ କିପରି ଭାବେ ବରଷକର ଅର୍ଥ ପାଇବ ସେନେଇ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିବି । ଚାଷୀଙ୍କ ଆପତ୍ତି ଓ ଅଭିଯୋଗକୁ ଭୃକ୍ଷେପ କରୁନି ପ୍ରଶାସନ । ନାମକୁ ମାତ୍ର ପରିଦର୍ଶନ ହେଉଛି । ଏପରିକି ଜିଲ୍ଲାପାଳଙ୍କ କ୍ଷେତ୍ରୀୟ ପରିଦର୍ଶନ ପରେ ବି ମିଲରମାନଙ୍କର ଚେତା ପଶୁନି । ଯାହାକୁ ନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣ ମହାସଂଘ ମଣ୍ଡିର ଚାଷୀଙ୍କ ପକ୍ଷରୁ ଶନିବାର ପୁର୍ବାହ୍ନରେ ଏକ ଜରୁରୀକାଳିନ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ୫୩୮ ଜଣ ପଞ୍ଜିକୃତ ଚାଷୀ । ୨୬ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଧ ହେବ ଧାନ । ମାତ୍ର ମଣ୍ଡି ପକ୍ଷରୁ ପ୍ରାୟ ୨ ଶହ ଚାଷୀଙ୍କର କିଣା ହୋଇଛି ୧୦ ହଜାର କ୍ୱିଣ୍ଟାଲ । ସେଥିମଧ୍ୟରୁ ମିଲର ଲିପ୍ଟଂ କରିଛି ମାତ୍ର ୪ ହଜାର କ୍ୱିଣ୍ଟାଲ । ବଳକା ୬ ହଜାର କ୍ୱିଣ୍ଟାଲ ପଡି ରହିଛି ମଣ୍ଡିରେ । ଖରା କାକରରେ ଦିନକୁ ଦିନ ଧାନ ନଷ୍ଟ ହେବାରେ ଲାଗିଛି । ଗୋଦାମ ଅଭବରୁ ପଡିଆରେ ପଡି ରହିଛି । ଯାହାକୁ ନେଇ ମଣ୍ଡି ପକ୍ଷରୁ ଧାନ କିଣା ବନ୍ଦ ରହିଛି । ଟାରଗେଟ୍ ମିଳୁନଥିବା ସହିତ ଟୋକନ୍ ଲାପସ୍ ହେବାର ଭୟରେ ଚାଷୀମାନଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି । ଆସନ୍ତା ମଙ୍ଗଳବାର ପୂର୍ବାହ୍ନରେ ଭଦ୍ରକ-ଚାନ୍ଦବାଲି ରାଜରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ ଦିଆଯିବ ବୋଲି ଉକ୍ତ ଚାଷୀ ସମାବେଶରେ ନିଷ୍ପତି ନିଆଯାଇଛି । ଏନେଇ ଡାକବାଜି ଯନ୍ତ୍ର ଜରିଆରେ ଗାଁଗଣ୍ଡାର ଚାଷୀଙ୍କୁ ଅବଗତ କରାଯିବା ସହିତ ପ୍ରଶାସନିକ ପଦାଧିକାରୀଙ୍କୁ ଲିଖିତ ଚିଠି ପ୍ରଦାନ କରାଯାଇଛି । ମୀନକେତନ ସେନାପତି, ବୈକୁଣ୍ଠନାଥ ପାଣି, ଶ୍ରୀଧର ଦାସ, ସରୋଜ ନାୟକ, କରୁଣାକର ନାୟକ, ଦେବେନ୍ଦ୍ର ବାରିକ, ଚକ୍ରଧର ସ୍ୱାଇଁ, ଉମାକାନ୍ତ ନାୟକ, ସମୃଲ ହୋଦା, ପ୍ରଦୀପ ଦାସ, ଜଗବନ୍ଧୁ ରାଉଳ, ଦୀପକ ଦାସ, ତପନ ସ୍ୱାଇଁ, ହରେନ୍ଦ୍ର ପରିହାରୀ, ଅନିରୁଦ୍ଧ ବାରିକ, ରାଜେନ୍ଦ୍ର ସ୍ୱାଇଁ, ମାନସ ସେନାପତି, ପ୍ରତାପ ଚନ୍ଦ୍ର ଲେଙ୍କା, ଶଶିକାନ୍ତ ପରିଡା, ଗୟାଧର ନାୟକ, ସୀମାଞ୍ଜଳ ବେହେରା, ନିମାଇଁ ଚରଣ ମଲ୍ଲିକ, ଗୟାଧର ମଲ୍ଲିକ, ମାୟାଧର ମଲ୍ଲିକ, ମୁରଲୀଧର ଦାସ, ସୁଧାକର ସାହୁ, ପ୍ରହ୍ଲାଦ ନାୟକ, ଲକ୍ଷ୍ମୀଧର ଦାସ, ଚକ୍ରଧର ଦାସ, ପ୍ରଭାତ ମଳିକ, ବିଦ୍ୟାଧର ମଳିକ, ଜଗବନ୍ଧୁ ମିଶ୍ର, ଶୁସାନ୍ତ ମହାଳିକ, କେଶବ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଗଣିଚନ୍ଦ୍ର ଦାସ, ଶଶିକାନ୍ତ ରାଉତ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

