ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜ୍ୟର ତାପମାତ୍ରା ସ୍ବାଭାବିକକୁ ଫେରିବାରେ ଲାଗିଥିବା ବେଳେ ଶୁକ୍ରବାର ରାଜ୍ୟର ରାତି ତାପମାତ୍ରା ପୁଣି ତଳକୁ ଖସିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ପାରଦସ୍ତର ଆଖିଦୃଶିଆ ତଳକୁ ଖସିଛି। ଉତ୍ତର ଆଭ୍ୟନ୍ତର ଓଡ଼ିଶା ସମେତ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ରାତି ପାରଦ ପାଖାପାଖି ୨ରୁ ୪ ଡିଗ୍ରି ଯାଏଁ ତଳକୁ ଖସିଛି। ଫଳରେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ରାତି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପାଖାପାଖି ୬ ଡିଗ୍ରି ତଳେ ରହିଛି। ଗତକାଲି ରାତିରେ ୭ଟି ସହରର ରାତି ତାପମାତ୍ରା ପୁଣି ୧୦ ଡିଗ୍ରି ତଳକୁ ଖସିଛି। ରାଜ୍ୟର ସର୍ବନିମ୍ନ ପାରଦ ସ୍ତର ଶୁକ୍ରବାର ରାତିରେ ଘୁ. ଉଦୟଗିରିଠାରେ ୫.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲାରେ ୭.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୮ ଡିଗ୍ରି, ସେମିଳିଗୁଡ଼ାରେ ୯.୬ ଡିଗ୍ରି, କିରେଇରେ ୯.୭ ଡିଗ୍ରି, ସୁନ୍ଦରଗଡ଼ ଓ ଫୁଲବାଣୀରେ ୧୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାର ରାତି ପାରଦ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ପାରଦସ୍ତର ସ୍ବାଭାବିକ ରହିଛି। କଟକର ସର୍ବନିମ୍ନ ରାତି ତାପମାତ୍ରା ୧୬.୪ ଡିଗ୍ରି ଓ ଭୁବନେଶ୍ବରର ସର୍ବନିମ୍ନ ରାତି ତାପମାତ୍ରା ୧୭.୭ ଡିଗ୍ରି ରହିଛି।

