ଉପନିଷଦ କିପରି ମନୁଷ୍ୟ ଜୀବନକୁ ସତ୍ୟ ଲକ୍ଷ୍ୟ ଦିଗରେ ନେଇଯାଏ—ସେଥିର ଗଭୀର ବ୍ୟାଖ୍ୟା)
ଭୁବନେଶ୍ୱର : ସନାତନ ଧର୍ମରେ ବେଦକୁ ସର୍ବୋଚ୍ଚ ଜ୍ଞାନସ୍ରୋତ ଭାବେ ମାନାଯାଏ ଏବଂ ଉପନିଷଦକୁ ବେଦୀୟ ଜ୍ଞାନର ମୁକୁଟମଣି ବୋଲି ବିବେଚନା କରାଯାଏ। ଏହି ଶାଶ୍ୱତ ବାଣୀର ଆଜିର ସମାଜରେ ପ୍ରସଙ୍ଗିକତାକୁ ଉଜାଗର କରି, ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କର ପ୍ରମୁଖ ପ୍ରଚାରିକା ପୂଜନୀୟା ରାସେଶ୍ୱରୀ ଦେବୀଜୀ “ଉପନିଷଦ ଜ୍ଞାନାମୃତ” ଶୀର୍ଷକରେ ଏକ ବିଶେଷ ଉପଦେଶମାଳାର ଶୁଭାରମ୍ଭ କରିଛନ୍ତି।

ଉଦ୍ଘାଟନୀ ଦିନରେ ଦେବୀଜୀ “ଉପନିଷଦ ମାହାତ୍ମ୍ୟ” ବିଷୟରେ ବିସ୍ତୃତ ଆଲୋଚନା କରି କହିଲେ ଯେ, ଉପନିଷଦ ଚାରି ବେଦର ସାରତତ୍ତ୍ୱକୁ ସଂଗ୍ରହ କରି ମନୁଷ୍ୟ ଜୀବନ ପାଇଁ ଏକ ସମ୍ପୂର୍ଣ୍ଣ ଦିଗଦର୍ଶନ ଦେଇଥାଏ। ଏହା କୌଣସି ଧର୍ମ ବା ସଂପ୍ରଦାୟର ସୀମିତ ଗ୍ରନ୍ଥ ନୁହେଁ; ବରଂ ଆତ୍ମା, ସଂସାର ଓ ପରମାତ୍ମା ସମ୍ବନ୍ଧରେ ସାର୍ବଜନୀନ ସତ୍ୟକୁ ପ୍ରକାଶ କରୁଥିବା ଏକ ଶାଶ୍ୱତ ମାର୍ଗଦର୍ଶିକା।
ଦେବୀଜୀ ଶ୍ୱେତାଶ୍ୱତର ଉପନିଷଦ (1.12)ର ମନ୍ତ୍ର ଉଦ୍ଧୃତ କରି ତାହାର ଗଭୀର ଅର୍ଥ ବୁଝାଇଥିଲେ। ସେ କହିଲେ ଯେ, ଜୀବାତ୍ମା ଅନାଦିକାଳ ଧରି ଜନ୍ମ–ମୃତ୍ୟୁର ଚକ୍ରରେ ଘୁରୁଥିବା ସତ୍ତ୍ୱେ ସତ୍ୟ ସୁଖ ପାଇନାହିଁ। ତ୍ରିଗୁଣ, ତ୍ରିକର୍ମ, ପଞ୍ଚକୋଶ ଓ ପଞ୍ଚକ୍ଲେଶ ପରି ଭୌତିକ ବନ୍ଧନ ମନୁଷ୍ୟକୁ ଦୁଃଖରେ ଆବଦ୍ଧ କରିରଖିଛି, ଏବଂ ଏହାର ସମାଧାନ କେବଳ ଉପନିଷଦୀୟ ଜ୍ଞାନ ମାଧ୍ୟମରେ ସମ୍ଭବ।

ମନୁଷ୍ୟ ଜନ୍ମର ବିଶେଷତା ଉପରେ ଜୋର ଦେଇ ସେ କହିଲେ ଯେ, ପଶୁମାନଙ୍କ ପାଖରେ ବିବେକଶକ୍ତି ନାହିଁ ଓ ଦେବତାମାନଙ୍କ ପାଖରେ କର୍ମର ସ୍ୱାଧୀନତା ନାହିଁ; କିନ୍ତୁ ମନୁଷ୍ୟ ଦେହରେ ଜ୍ଞାନଶକ୍ତି (ବିବେକ) ଓ କର୍ମସ୍ୱାଧୀନତା—ଦୁହେଁ ମିଳିଥାଏ, ଯାହା ଈଶ୍ୱର ପ୍ରାପ୍ତିର ମୂଳ ଆଧାର।
ଦେବୀଜୀ ଏହା ମଧ୍ୟ ଉଲ୍ଲେଖ କଲେ ଯେ, ଉପନିଷଦର ବାଣୀ କେବଳ ଦାର୍ଶନିକ ଚର୍ଚ୍ଚା ନୁହେଁ; ଏହା ଦୈନନ୍ଦିନ ଜୀବନରେ ନୀତି, ସଂୟମ ଓ ଆଧ୍ୟାତ୍ମିକ ସମତୁଳନ ଆଣିବାର ଏକ ପ୍ରାୟୋଗିକ ପଥ। ଆଜିର ଦ୍ରୁତଗତି ଜୀବନରେ ମନୁଷ୍ୟ ଯେ ଦିଗଭ୍ରମ ଅନୁଭବ କରୁଛି, ଉପନିଷଦ ସେଥିପାଇଁ ସ୍ପଷ୍ଟ ଦିଗ ଦେଖାଏ।
ଏହି ଉପଦେଶମାଳା ମାଧ୍ୟମରେ ପୂଜନୀୟା ରାସେଶ୍ୱରୀ ଦେବୀଜୀ ଚାହୁଁଛନ୍ତି ଯେ, ଉପନିଷଦର ଗଭୀର ତତ୍ତ୍ୱ ସରଳ ଭାଷାରେ ସମାଜର ସମସ୍ତ ବର୍ଗ ପର୍ଯ୍ୟନ୍ତ ପହଞ୍ଚୁ ଓ ଲୋକଙ୍କ ଜୀବନରେ ନୂତନ ଆଲୋକ ଆଣୁ।
ଏହି ପ୍ରବଚନ ଶୃଙ୍ଖଳା 31 ଜାନୁଆରୀରୁ 9 ଫେବୃଆରୀ 2026 ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା 6:30 ରୁ 8:30 ପର୍ଯ୍ୟନ୍ତ ଆୟୋଜିତ ହେବl
ଉଦ୍ଘାଟନ ଦିବସରେ ନିମ୍ନଲିଖିତ ଗରିମାମୟ ଅତିଥିମାନେ ଉପସ୍ଥିତ ଥିଲେ:
ଶ୍ରୀ ମନମୋହନ ସାମଲ – ରାଜ୍ୟ ସଭାପତି, ଭାରତୀୟ ଜନତା ପାର୍ଟି (ବିଜେପି), ଓଡ଼ିଶା
ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଓଡ଼ିଶା ସରକାର
ଶ୍ରୀ ଜଗନ୍ନାଥ ପ୍ରଧାନ – ବରିଷ୍ଠ ସମାଜ ସେବୀ ଏବଂ ବରିଷ୍ଠ ବିଜେପି ନେତା
ଡା. ବଦ୍ରୀନାଥ ପଟ୍ଟନାୟକ – ଅଧ୍ୟକ୍ଷ, ଏମ୍ବିସି ଟିଭି
ଶ୍ରୀ ସୁଜିତ ଦାସ – ଯୁବ ବିଜେପି ନେତା

