ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରାଯାଇଛି । ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରରେ ସମାନ କଟକଣା ଲାଗୁ କରିବା ପାଇଁ ଏକ ପ୍ରସ୍ତାବ ଦିଆଯିବ । ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ନିଷେଧ କେବଳ ଗଙ୍ଗୋତ୍ରୀ ଧାମ ପାଇଁ ନୁହେଁ ବରଂ ମାଆ ଗଙ୍ଗାଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ପାଇଁ ମଧ୍ୟ ଲାଗୁ ହେବ । ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ସଭାପତି ସୁରେଶ ସେମୱାଲ କହିଛନ୍ତି, ‘ଏହି ନିଷ୍ପତ୍ତି ଅନୁଯାୟୀ, ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିଷେଧ ଦେବୀଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।’
ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ଆଗାମୀ ବୋର୍ଡ ବୈଠକରେ ଉଭୟ ମନ୍ଦିର ଏବଂ ମନ୍ଦିର କମିଟି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପିତ ହେବ ।
ଏହା ସହିତ ଉତ୍ତରାଖଣ୍ଡ ସରକାର ହରିଦ୍ୱାରର ୧୨୦ ବର୍ଗ କିଲୋମିଟର ପରିବ୍ୟାପ୍ତ ୧୦୫ଟି ଘାଟରେ ଅଣହିନ୍ଦୁଙ୍କ ପ୍ରବେଶକୁ ପ୍ରତିବନ୍ଧିତ କରିବାକୁ ବିଚାର କରୁଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ବୟାନ ସାମ୍ନାକୁ ଆସିଛି । ଧାମି କହିଛନ୍ତି, ଅଣ-ହିନ୍ଦୁଙକ ପ୍ରବେଶରେ ରୋକ୍ ଭଳି ସବେଦନାଶୀଳ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ତୀର୍ଥ ସମିତି, ସନ୍ଥ ଏବଂ ହିତାଧିକାରୀଙ୍କ ରାୟ ନିଆଯିବ । ପବିତ୍ରସ୍ଥାନରେ ବହୁତ ଐତିହାସିକ ଏବଂ ଧାର୍ମିକର ମହତ୍ତ୍ବ ରହିଛି । ତେଣୁ ଏଠିକାର ନିୟମକୁ ସମୀକ୍ଷା କରିବା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ

