ଗତକାଲି ଗୋମାଂସ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ଯରେ ଭୀଷଣ ସଂଘର୍ଷ ହୋଇଥିଲା। ପରସ୍ପର ଉପରେ ଭୀଷଣ ପଥରମାଡ଼ ହୋଇଥିବା ବେଳେ ଭିନ୍ନ ଗୋଷ୍ଠୀର ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ଦିଆଯାଇଥିଲା। ପଥରମାଡ଼ରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ ଗୋଷ୍ଠୀର ୮ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥିତି ସ୍ୱାଭାବିକ କରିବା ସହ ସହରରେ ଶାନ୍ତି ଫେରାଇ ଆଣିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର ଓ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ବରିଷ୍ଠ ପଦାଧିକାରୀ ଉଦ୍ୟମ ଚଲାଇଛନ୍ତି।
ଶାନ୍ତି କମିଟି ଗଠନ ପାଇଁ ଜିଲ୍ଲାପାଳ ଓ ଏସପି ଦୁଇ ଗୋଷ୍ଠୀର ନେତୃତ୍ବ ସହ କଥାବାର୍ତ୍ତ ଚଲାଇଛନ୍ତି। ଗତକାଲି ଘଟଣା ପରେ ଏସପିଙ୍କ ନେତୃତ୍ବରେ ପୁଲିସ ବଳ ସାରା ରାତି ସହରରେ ପାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଥିଲେ। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ଯାପକ ସଶସ୍ତ୍ର ପୁଲିସ ବଳ ମୁତୟନ କରାଯାଇଥିଲା। ଅନ୍ଯପଟେ ଭିଡ଼ ହିଂସା ଭିଆଇଥିବା ଓ ଉସୁକାଇଥିବା ଦୁଇ ଗୋଷ୍ଠୀର ତତ୍ତ୍ବ ଚିହ୍ନଟ କରି ପୁଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଚଲାଇଥିବା ଓ ଯିଏ ଯିଏ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଡିଆଇଜି ଗଣମାଧ୍ୟମ ଆଗରେ କହିଛନ୍ତି।

