ବାଲେଶ୍ଵର : ମନରେଗା କେବଳ ଏକ ଯୋଜନା ନୁହେଁ, ବରଂ ନିଶ୍ଚିତ ଶ୍ରମ ଅଧିକାରର ଏକ ବିଚାର । ଏହାକୁ କଦାପି ବନ୍ଦ କରିବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ହୁଙ୍କାର ଦିଆଯାଇଛି ।
ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ସିନେମା ଛକସ୍ଥିଟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଦିନିକିଆ ଉପବାସ ଓ ସାଙ୍କେତିକ ପ୍ରତିବାଦ ପ୍ରଦର୍ଶିତ ହୋଇଛି । ମନରେଗା ବଞ୍ଚାଅ ସଂଗ୍ରାମ ଏବେଠାରୁ ଆରମ୍ଭ ହେଲା ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦରେ ଶ୍ରୀ ଦାସ କହିଲେ ଯେ ମନରେଗାକୁ ଉଚ୍ଛେଦ କରି ମହାତ୍ମା ଗାନ୍ଧୀଙ୍କ ବଦଳରେ ନାଥୁରାମ୍ ଙ୍କ ନାମରେ ବିଭି ଜି ରାମ ଜି ଯୋଜନା କରାଯାଇଛି । ପୂର୍ବରୁ କେନ୍ଦ୍ର ସରକାର ମନରେଗା ରେ ୯୦ ପ୍ରତିଶତ ଅଂଶଧନ ଦେଉଥିବା ବେଳେ ଏବେ କେନ୍ଦ୍ରର ବିଜେପି ସରକାର ୬୦ ପ୍ରତିଶତ ଅଂଶଧନ ଦେବେ । ଫଳରେ ଓଡିଶା ଭଳି ଗରିବ ରାଜ୍ୟ ବର୍ଷକୁ ୨ ହଜାର କୋଟି କ୍ଷତି ସହିବ । ଏହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି ।
ଏହି ପ୍ରତିବାଦରେ ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତି ତପସ୍ୱୀ, ବିଜୟ ମହାନ୍ତି, ନିଶିଥ ବାରିକ, ଦେବଦତ୍ତ ଦାସ, ଅନୁପ ସ୍ବାଇଁ, କହ୍ନେଇ ବେହେରା, ନିରଞ୍ଜନ ବେହେରା, ଆଶିଷ ପଟ୍ଟନାୟକ, ସେଖ ଭୋଲା, ନାରୀନେତ୍ରୀ ଜ୍ୟୋତ୍ସ୍ନା ସେନାପତି, ବାସନ୍ତୀ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

