ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ନେଇ ବିବାଦ ଦେଖାଦେବା ପରେ ବଦଳିବ ଟି-୨୦ ବିଶ୍ୱକପର ପୂରା ସିଡ୍ୟୁଲ୍ । ଆଇସିସି ନେଇପାରେ ବଡ଼ ନିଷ୍ପତ୍ତି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରୀ ୭ ତାରିଖରେ ଆରମ୍ଭ ହେବାର ଥିଲା ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ମିଶି ଆୟୋଜନ କରିବାକୁ ଯାଉଛନ୍ତି ।
ଖବର ମୁତାବକ, ବାଂଲାଦେଶ କ୍ରିକେଟ ବୋର୍ଡ ଦ୍ବାରା ଆଇସିସିକୁ ଭେନ୍ୟୁ ପରିବର୍ତ୍ତନ କରିବା ଦାବି ସହିତ ସମସ୍ତ ମ୍ୟାଚ ଭାରତରୁ ସ୍ଥାନାନ୍ତର କରି ଶ୍ରୀଲଙ୍କାରେ କରାଯିବାକୁ ଅନୁରୋଧ କରିଛି । ଆଉ ଆଇସିସି ମଧ୍ୟ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଅଧ୍ୟକ୍ଷ ଜୟ ଶାହଙ୍କ ନେତୃତ୍ୱରେ ICC ଏକ ନୂତନ ମ୍ୟାଚ୍ ସୂଚୀ କରିବା ନେଇ ପ୍ଲାନ୍ ପ୍ରସ୍ତୁତ କରିଛି ।
ସୂଚନାଯୋଗ୍ୟ, ରବିବାର ବିସିବି ଭାରତରେ ନିଜ ମ୍ୟାଚ୍ ପାଇଁ ଖେଳାଳିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଠିଆ କରିଥିଲା । ବର୍ତ୍ତମାନର ପରିସ୍ଥିତି ଏବଂ ବାଂଲାଦେଶ ସରକାରଙ୍କ ପରାମର୍ଶକୁ ବିଚାର କରି ବୋର୍ଡ ଏହି ନିଷ୍ପତ୍ତି ନେଇଛି ଯେ, ଦଳ ପାଇଁ ଏହି ସମୟରେ ଭାରତ ଯାତ୍ରା କରିବା ନିରାପଦ ନୁହେଁ । ପୂର୍ବରୁ ମ୍ୟାଚ୍ ସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏବେ ବାଂଲାଦେଶର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ ବିସିବି ଦାବି କରିଛି

