ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ୍ ତରଫରୁ ପୁରୀଠାରେ ଆୟୋଜିତ ତ୍ରି-ଦିବସୀୟ ତୃତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶର ଉଦଯାପନୀ ଆଜି ତା.୦୪.୦୧.୨୦୨୬ ଦିନ ଗଜପତି ମହାରାଜାଙ୍କ ଆଶୀର୍ବଚନରେ ସମାପିତ ହୋଇଛି । ଶେଷଦିନର ପ୍ରଥମ ଅଧିବେଶନରେ ଚିନ୍ମୟ ମିଶନ, ପାଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆଲୋଚନାର ବିଷୟ ବସ୍ତୁ ଥିଲା – “ବିଶ୍ୱରେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ” । ଏଥିରେ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ୱାମୀ ଆତ୍ମପ୍ରଭାନନ୍ଦ ଜୀ ଓ ବାବା ସତ୍ୟାନନ୍ଦ ଦାସ ମହାରାଜ ବିଷୟ ଉପରେ ମତରଖି କହିଥିଲେ ଯେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ ନିଜ ଘରୁ ଆରମ୍ଭ ହୋଇ ବିଶ୍ୱବ୍ୟାପୀ ହେଉ । ବିଶେଷତଃ ଯୁବଶକ୍ତିକୁ ସଂଗଠିତ କରି ଏହି ଯାତ୍ରାରେ ସମ୍ମିଳିତ କରାଯାଉ । ମହିଳାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉ । ଏହି ଅଧିବେଶନରେ ଅଷ୍ଟ୍ରେଲିଆରୁ ଆସିଥିବା ଡ. ନଳିନୀ ପତି ଏବଂ ଆୟରଲ୍ୟାଣ୍ଡରୁ ଆସିଥିବା ଶ୍ରୀମତୀ ମଧୁସ୍ମିତା ବାରିକ ନିଜ ଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିପରି ପାଳିତ ହେଉଛି ସେ ବିଷୟରେ କହିଥିଲେ । ଅଦିନିଆ ରଥଯାତ୍ରାକୁ ଏଥିରେ ଦୃଢଭାବରେ ନିନ୍ଦା କରାଯାଇଥିଲା । ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣ ନିରାକାର, ନିର୍ଗୁଣ ସାକାର ଓ ସଗୁଣ ସାକାର ରୂପେ କିପରି ଅନୁଭବ କରିହେବ ସେ ବିଷୟରେ ବୁଝାଇଥିଲେ । ଦ୍ୱିତୀୟ ଅଧିବେଶନରେ ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗରେ ଡ. ମହନ୍ତ ରାମଚନ୍ଦ୍ର ଦାସ ମହାରାଜ ଯୋଗଦେଇ କହିଥିଲେ ଯେ ସ୍ୱୟଂ ଜଗନ୍ନାଥ ହିଁ ପୁରୁଷୋତମ କ୍ଷେତ୍ରର ନାମକରଣ କରିଛନ୍ତି, ଯାହା ଜଗନ୍ନାଥ ଧାମ, ପୁରୀ ନାମରେ ନାମିତ । ଏହି ସ୍ଥାନ ହେଉଛି ଜଗନ୍ନାଥଙ୍କର ନିବାସସ୍ଥଳ ଏବଂ ମୁକ୍ତିର ଧାମ । ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ପ୍ରସଙ୍ଗ ଉପରେ ବିସୃତ ଭାବରେ ଆଲୋଚନା କରି କହିଥିଲେ ଜଗନ୍ନାଥ ଧାମ , ରଥଯାତ୍ରା ଆଦି ବିଶେଷ ଉତ୍ସବ ବିଷୟରେ ସ୍କନ୍ଦ ପୁରାଣରେ ବିଶଦ ଭାବରେ ଲିଖିତ । ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଆମେ ତତ୍ତ୍ୱକୁ ଜାଣିପାରିବା ଓ ନିଜର ଯୁକ୍ତିକୁ ବଳିଷ୍ଠ କରିପାରିବା । ଏହି ଅଧିବେଶନରେ ଆମେରିକାରୁ ଆସିଥିବା ଡ. ପଞ୍ଚାନନ ଶତପଥୀ ଓ ଦୁବାଇରୁ ଆସିଥିବା ଶ୍ରୀ ହିମାଂଶୁ ଶେଖର ମହାପାତ୍ର ବିଦେଶରେ ଜଗନ୍ନାଥ ଚେତନାର କିପରି ଉତରଣ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ । ନିଜର ଆର୍ଶୀବଚନରେ ପୂଜ୍ୟ ଗଜପତି ମହାରାଜା କହିଥିଲେ ଯେ ପୁରୀ ହେଉଛି ଶ୍ରୀଜଗନ୍ନାଥଙ୍କର ମୂଳପୀଠ । ତେଣୁ ମୂଳପୀଠରେ ଯାହା ହେଉଛି ତାହା ସର୍ବତ୍ର କରଣୀୟ । ରଥଯାତ୍ରା ପରି ବିଶେଷ ପର୍ବମାନଙ୍କରେ ଏହାର ବ୍ୟତିକ୍ରମ ହେବା ଆଦୌ ଉଚିତ ନୁହେଁ । କାରଣ ଏହା ମହାପ୍ରଭୁଙ୍କ ଇଚ୍ଛା ଏବଂ ତିଥି ଅନୁସାରେ ହେବା ଉଚିତ । ଅଦିନରେ ରଥଯାତ୍ରା କରିବା ଶାସ୍ତ୍ରବିରୁଦ୍ଧ ବୋଲି ପ୍ରମାଣିତ କରି ଏକ ୯୭ ପୃଷ୍ଠାର ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଯାହାକୁ ସମସ୍ତେ ପଢିବା ଉଚିତ । ତାହାହେଲେ ଶ୍ରୀଜଗନ୍ନାଥଙ୍କ ଚେତନାର ଜାଗରଣ ହେବ । ପ୍ରତ୍ୟେକ ଧର୍ମରେ ମୂଳପୀଠର ସ୍ୱତନ୍ତ୍ର ସ୍ଥାନ ରହିଛି । ଏଣୁ ଶ୍ରୀ ଜଗନ୍ନାଥଙ୍କ ଧାମ ଅପରିବର୍ତନୀୟ । ପରିଶେଷରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ, ମୁଖ୍ୟ ଆୟୋଜକ ଡ ଭଗବାନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ ସମାବେଶର ସମାପନ କରିଥିଲେ । ଏହା ସହିତ ଟ୍ରଷ୍ଟି ଡ ହର ପ୍ରସନ୍ନ ଦାସ, ଶ୍ରୀ ସଂଗ୍ରାମ କେଶରୀ ପଟନାୟକ, ଶ୍ରୀ ସୁକାନ୍ତ କୁମାର ସାହୁ, ଶ୍ରୀ ମନୋଜ କୁମାର ପାତ୍ର ଓ ଶ୍ରୀମତୀ ସ୍ୱାତୀ ତ୍ରୀପାଠୀ ସମାବେଶର ସୁପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

