ବାଂଲାଦେଶ : ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ହିଂସା । ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା ଉଦ୍ୟମ । ହିନ୍ଦୁ ବ୍ୟବସାୟୀଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେବାକୁ ଚେଷ୍ଟା କଲେ ଦୃର୍ବୃତ୍ତ । ସଂକଟାପନ୍ନ ଅବସ୍ଥାରେ ବ୍ୟବସାୟୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାରିଆଡ଼େ ନବ ବର୍ଷର ସେଲିବ୍ରେସନ ଚାଲିଥିବା ବେଳେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଖୋକନ ଚନ୍ଦ୍ର ଦାସ ।
ସୂଚନାନୁଯାୟୀ, ଖୋକନ ନିଜ ଔଷଧ ଦୋକାନ ବନ୍ଦ କରି ଅଟୋରେ ଘରକୁ ଫେରୁଥିଲେ । ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁରୁ ରକ୍ଷା ପାଇବା ପାଇଁ ଖୋକନ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ଯାହାଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ତାଙ୍କ ମୁହଁ, ହାତ ଓ ମୁଣ୍ଡ ଗୁରୁତର ଭାବେ ପୋଡ଼ି ଯାଇଛି । ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଢାକା ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି । ଲୁଟ୍ ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହାକୁ ମିଶାଇ ଗଲା ୨ ସପ୍ତାହ ମଧ୍ୟରେ ଚତୁର୍ଥ ଥର ପାଇଁ କୌଣସି ହିନ୍ଦୁ ବ୍ୟକ୍ତିଙ୍କ ଉପରେ ଏପରି ଆକ୍ରମଣ ହୋଇଛି । ସେହିପରି ହିନ୍ଦୁଙ୍କୁ ଟାର୍ଗେଟ କରି ନବବର୍ଷ ପୂର୍ବ ରାତିରେ ବ୍ୟାପକ ପୋଡ଼ା ଜଳା ମଧ୍ୟ କରାଯାଇଛି ।

