ନାଉଗାଁର ଅଙ୍ଗେଶ୍ବରପଡ଼ା ଉଚ୍ଚ ବିଦ୍ୟାଳୟ: ବିପଦଶଙ୍କୁଳ କୋଠାରେ ଚାଲିଛି ପାଠପଢ଼ା
ନାଉଗାଁର ଅଙ୍ଗେଶ୍ବରପଡା ଉଚ୍ଚ ବିଦ୍ୟାଳୟ। ମହାବାତ୍ୟା ପରେ ତିଆରି ହୋଇଥିବା କ୍ଲାସରୁମ କୋଠାକୁ ୨୦୧୯-୨୦ରେ ବିପଦଶଙ୍କୁଳ ଘୋଷଣା କରିଛି ବ୍ଲକ ପ୍ରଶାସନ | କିନ୍ତୁ ଏବେ ବି ବିପଦଶଙ୍କୁଳ କୋଠାରେ ପାଠପଢ଼ା ଚାଲିଛି। କେବଳ ଏହି ଗୋଟିଏ ନୁହେଁ ଜିଲ୍ଲାରେ ଏମିତି ସ୍କୁଲ ହତାରେ ଶହ ଶହ ବିପଦଶଙ୍କୁଳ ଘର ଓ କ୍ଲାସରୁମ୍ ରହିଛି। କେତେବେଳେ ଅଘଟଣ ଘଟିବ ଓ ଧନଜୀବନ ହାନୀ ଘଟିବ ତାହା କହି ହେବ ନାହିଁ। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଛି।
ନିକଟରେ ରାଜସ୍ଥାନର ଝାଲବାଡ ଜିଲ୍ଲାରେ ପ୍ରାଥମିକ ସ୍କୁଲ ଘର ଛାତ ଭାଙ୍ଗି ୭ ଜଣ ମୃତ୍ୟୁ ଓ ୩୦ ଜଣ ଆହତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି | ଖାଲି ସେତିକି ନୁହେଁ ମଙ୍ଗଳବାର ଉଦୟପୁରରେ ପୁଣି ସ୍କୁଲ ଘର ଭାଙ୍ଗିଥିବା ଜଣାପଡ଼ିଛି | ଝାଲବାଡ ସ୍କୁଲ ଦୁର୍ଘଟଣା ଘଟଣାରେ ପୂର୍ବରୁ କ୍ଲାସ କୋଠାକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଓଡ଼ିଶାରେ ହଜାର ହଜାର ସଂଖ୍ଯାରେ ବିପଦଶଙ୍କୁଳ ସ୍କୁଲ କୋଠା ରହିଛି। ଜଗତସିଂହପୁର ଜିଲ୍ଲାରେ ସ୍କୁଲ ହତାରେ ଶତାଧିକ ବିପଦଶଙ୍କୁଳ ଘର ଓ ଶ୍ରେଣୀଗୃହ ରହିଛି | କିନ୍ତୁ ବର୍ଷ ବର୍ଷ ଧରି ଭଙ୍ଗାଯାଉ ନାହିଁ କିମ୍ବା ମରାମତି କରାଯାଉ ନାହିଁ | ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭିତରେ ଭୟ ଲାଗି ରହିଛି।