ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀ NCRରେ ଘନ କୁହୁଡ଼ି ଲାଗି ରହିଛି । ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି ସଠିକ୍ ହୋଇପାରୁନାହିଁ । ଯାହାଫଳରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି । କିନ୍ତୁ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି ।
ସୂଚନାନୁଯାୟୀ, ଗତକାଲି ଘନ କୁହୁଡ଼ି ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଅତି କମରେ ୧୭୭ଟି ବିମାନ ବାତିଲ ଏବଂ ୫୦୦ରୁ ଅଧିକ ବିଳମ୍ବ ହୋଇଥିଲା । ଏହାରି ମଧ୍ୟରେ ଏୟାରଲାଇନ୍ସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।
ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଏହା ଭାରତ ପାଣିପାଗ ବିଭାଗ (IMD) ସହିତ ନିବିଡ଼ ଭାବରେ କାର୍ଯ୍ୟ କରୁଛି। ପ୍ରକୃତ ସମୟର ପାଣିପାଗ ପୂର୍ବାନୁମାନ ଆଧାରରେ ବିମାନ ପରିଚାଳନା ନିଷ୍ପତ୍ତି ନିଆଯାଉଛି ।

