ରାଜ୍ୟ

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

Spread the love

ଭୁବନେଶ୍ବର/କଟକ: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଆଉ ଜଣେ ମୁଖ୍ୟ କାର୍ପଟଦାରଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତ ହେଲେ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକ। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସାମ୍ନାସାମ୍ନି ଜେରା କରୁଛି। ଉଭୟଙ୍କଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟା ଚାଲିଛି।ପୂର୍ବ ସରକାରରେ ହଜା‌ରେ କୋଟିର ଡିଲ୍‌ ହୋଇଥିଲା। ଖୁବ୍‌ଶୀଘ୍ର ସବୁ ଗୁମର ଖୋଲିବ। ସରକାରଙ୍କୁ ସବୁ ତଥ୍ୟ ଦେବି। ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି। ତା’ର ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ମଧ୍ୟ ହୋଇଛି। ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଶଙ୍କରର ବୟାନକୁ ରାଜନୈତିକ ମହଲରେ ଗୁରୁତ୍ବର ସହ ନିଆଯାଉଛି। ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ପଞ୍ଚସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଗିରଫ କଲା ପରେ ଆଜି ତା’କୁ ଓଡ଼ିଶା ଆଣିଛି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ଶଙ୍କର ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ରଖିଥିଲା। ସେ କହିଥିଲା, ପରୀକ୍ଷା ବାତିଲ କରିବାକୁ ଷଡ୍‌ଯନ୍ତ୍ର କରାଯାଇଥିଲା। ଯେଉଁମାନେ ଷଡ୍‌ଯନ୍ତ୍ର କରିଥିଲେ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସରକାରଙ୍କୁ ଦେବି। ୧୨୪ ଲୋକଙ୍କ ଜନ୍ମ କୁଣ୍ଡଳୀ ବାହାର କରନ୍ତୁ। ନା  ମୋର ନା  ମୋ ପତ୍ନୀଙ୍କର, ଆମର କାହା ସହ କୌଣସି ଲିଙ୍କ୍‌ ନାହିଁ। ଯଦି କିଛି ପ୍ରମାଣ ଅଛି ତାହା ସାର୍ବଜନୀନ କରାଯାଉ।

ଶଙ୍କରକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଦାବି କରୁଥିଲା ବେଳେ ଶଙ୍କର କିନ୍ତୁ ଏହାକୁ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରିଛି। ତାକୁ ଗିରଫ କରାଯାଇନି, ବରଂ ସେ ଆତ୍ମସମର୍ପଣ କରିଛି ବୋଲି ଜୋର୍‌ ଦେଇଛି। ଶଙ୍କର କହିଛି ଯେ ମୁଁ ଲୁଚି ନଥିଲି। ଆଇନ ପ୍ରକ୍ରିୟାକୁ ସମ୍ମୁଖୀନ ହେଉଥିଲି। ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲି। ମୋତେ ସମୟ ଦିଆଯାଇଥିଲା, ମାସକ ପରେ ହାଜର ହୋଇଥାଆନ୍ତି। ସେହିପରି ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି ମାମଲା ନାହିଁ ବୋଲି ସେ କହିଛି। 

Leave a Reply

Your email address will not be published. Required fields are marked *