ଶୌଚ ହେବା ପାଇଁ ଯାଇଥିଲେ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ (୬୫) ବୋଲି ସୂଚନା ମିଳିଛି।ଆଜି ସକାଳ ୭ଟା ୩୦ ମିନିଟ୍ ସମୟରେ ଘର ଠାରୁ ୫୦୦ ମିଟର ଦୂରକୁ ବିଜନ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ଗୋଟିକିଆ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ ବିଜନ। ଗୋଟିକିଆ ଦନ୍ତା ହାତୀ ବିଜନଙ୍କୁ ଟେକି କଚାଡ଼ି ଦେବା ସହ ଦଳି ଦେଇଥିଲା l ବିଜନଙ୍କ ଚିତ୍କାର ଶୁଣି ଘର ଲୋକ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇ ଦେଇଥିଲେ। କିନ୍ତୁ ସେତେବେଳକୁ ବିଜନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇସାରିଥିଲା।