ରାଜ୍ୟ

ସୁଦୃଶ ଲଘୁଚାପ ଅବପାତରେ ପରିଣତ, ୨୭ରେ ବଙ୍ଗୋପସାଗରରେ ବାତ୍ୟା

Spread the love

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ହେଲା ଅବପାତ। ସୁଦୃଶ ଲଘୁଚାପ ଅବପାତର ରୂପ ନେଇଛି। ଆଜି ସକାଳ ସାଢ଼େ ୫ଟା ସମୟରେ ସୃଷ୍ଟି ହୋଇଛି ଅବପାତ। ଆସନ୍ତା ୨୭ ତାରିଖରେ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଆଇଏମ୍‌ଡିର ସ୍ବତନ୍ତ୍ର ବୁଲେଟିନ୍‌ ଅନୁଯାୟୀ, ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ସୁଦ୍ଧା ଅବପାତର ରୂପ ନେବ। ୨୬ ତାରିଖ ଆଡ଼କୁ ଏହା ଆହୁରି ଶକ୍ତି ଗୋଟାଇବ ଏବଂ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ସୋମବାର (୨୭ ତାରିଖ) ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇସାରିଥିବ ଏବଂ ଦକ୍ଷିଣ-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ତେବେ ଏହା କେତେ ଭୟଙ୍କର ହେବ, ‌ଗତିପଥ କେଉଁଆଡ଼େ ରହିବ ଓ କେଉଁଠାରେ ଏହା ସ୍ଥଳଭାଗକୁ ଛୁଇଁବ, ସେ ସଂକ୍ରାନ୍ତରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ବାତ୍ୟାଟି ବିଶେଷତଃ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଉପକୂଳରେ ସ୍ଥଳ ଭା‌ଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ବାତ୍ୟାର ନାମ ‘ମୋନ୍ଥା’ ରହିବ। ଏହା ଏକ ଥାଇଲାଣ୍ଡ ପ୍ରସ୍ତାବିତ ନାମ। ଏହାର ଅର୍ଥ ହେଉଛି ‘ସୁଗନ୍ଧିତ ଫୁଲ’ ବା ‘ସୁନ୍ଦର ଫୁଲ’। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତକାଲି ବଙ୍ଗୋପସାଗରରେ ରହିଥିବା ତିନୋଟି ଘୂର୍ଣ୍ଣିବଳୟ (ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଖଣ୍ଡ ବିଶେଷ, ଦକ୍ଷିଣ ପୂର୍ବରେ ଦ୍ବିତୀୟ ଓ ଦକ୍ଷିଣ ବଙ୍ଗୋପସାଗରର ଦକ୍ଷିଣ ଆଡ଼କୁ ତୃତୀୟଟି ଆଜି ସକାଳେ ଲଘୁଚାପରେ ପରିଣତ ହୋଇ ସନ୍ଧ୍ୟା ବେଳକୁ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ୨୭ ତାରିଖରେ ଲଘୁଚାପର ରୂପ ନେବ। ୨୮ ତାରିଖରେ ବାତ୍ୟା ଅଧିକ ଘନୀଭୂତ ହେବାକୁ ପାଗ ଅନୁକୂଳ ରହିଛି। ତେବେ ବାତ୍ୟାକୁ ନେଇ ଏବେ ଦୁଇଟି ଦୃଶ୍ୟପଟ ସାମନାକୁ ଆସୁଛି। ୨୮ ତାରିଖରେ ପ୍ରଥମ ସିଷ୍ଟମଟି ଅଧିକ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ, ନେଲୋରରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଯଦି ସିଷ୍ଟମ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ପଡ଼େ, ତେବେ ଏହା ୨୯ ତାରିଖରେ ଦୁର୍ବଳ ହୋଇ ଓଡ଼ିଶା ଉପକୂଳକୁ ମୁହାଁଇପାରେ।

Leave a Reply

Your email address will not be published. Required fields are marked *