ରାଜ୍ୟ

ଜଳବାୟୁ ସଂପର୍କିତ ତିନି ଦିବସୀୟ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀ ଉଦ୍‌ଯାପିତ

Spread the love

ଭୁବନେଶ୍ବର: ଜଳବାୟୁ ସୁରକ୍ଷା ଉପରେ ଆଧାରିତ ‘ପୁନଶ୍ଚ ପୃଥିବୀ’ର ତନିଦିନିଆ ସମ୍ମିଳନୀ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଅତିଥିମାନେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତ ଜୀବନ ପାଇଁ ପରିବେଶର ସୁରକ୍ଷାକୁ ସମସ୍ତେ ଗୁରୁତ୍ବ ଦେବା ଉଚିତ୍‌ ବୋଲି ଅତିଥିମାନେ ପରାମର୍ଶ ଦେଇଛନ୍ତି। ଉଦ୍‌ଯାପନୀ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ଉପରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେ ‘ସମ୍ବାଦ’ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। 

ସ୍ଥାନୀୟ ହୋଟେଲ ‘ସ୍ବସ୍ତି ପ୍ରିମିୟମ୍‌’ରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମାରୋହର ଉଦ୍‌ଯାପନୀ ଅଧିବେଶନରେ ବୁଧବାର ‘ଇଷ୍ଟର୍ଣ୍ଣ ମିଡିଆ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ଏବଂ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସମାରୋହରେ ପରିବେଶ ପାଇଁ କାମ କରୁଥିବା ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। 

ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ ଯେ ‘ସମ୍ବାଦ’ ଗ୍ରୁପ ନିଜର ବିଭିନ୍ନ ଅନୁଷ୍ଠାନ ଯେପରିକି ସମ୍ବାଦ ଖବରକାଗଜ, କନକ ନ୍ୟୁଜ, ରେଡିଓ ଚୋକଲେଟ, ସମ୍ବାଦ ଡିଜିଟାଲ ମାଧ୍ୟମରେ ଆମ ସମୟର ପ୍ରମୁଖ ସମସ୍ୟା ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ବ,, ଦାୟିତ୍ବବାନ ଜୀବନଯାପନ ଆଦି ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି। ଆମେ ଆଜି ମାନବ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧିକ୍ଷଣରେ ଛିଡ଼ା ହୋଇଛୁ। ଜଳବାୟୁ ପରିବର୍ତ୍ତନ ଆଉ ଭବିଷ୍ୟତର ଏକ ସମସ୍ୟା ହୋଇ ରହିନାହିଁ, ଆଜି ଏହା ଏକ ବାସ୍ତବିକତାରେ ପରିଣତ ହୋଇଛି। ତାପମାତ୍ରା ବୃଦ୍ଧି, ଅତ୍ୟଧିକ ବୃଷ୍ଟିପାତ ଓ ପରିବେଶଗତ ଅସନ୍ତୁଳନ ଆମ ଜୀବନ, ଅଭିବୃଦ୍ଧି ଓ ଉତ୍ପାଦନକୁ ପ୍ରଭାବିତ କରୁଛି। କିନ୍ତୁ ଏସବୁ ଆହ୍ବାନ ଆମପାଇଁ ଏକ ସୁଯୋଗ ମଧ୍ୟ ଆଣିଦେଇଛି ଯେ ବିକାଶ କେବଳ ଅଭିବୃଦ୍ଧିର ଏକ ଦୌଡ଼ ନୁହେଁ, ବରଂ ଏହା ସନ୍ତୁଳିତ, ସମାନତା ଓ ନବୀକରଣର ଏକ ମିଳିତ ଯାତ୍ରା। ଏହି ସମ୍ମିଳନୀ ଏହି ବାର୍ତ୍ତା ଦେଉଛି ଯେ ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ଏକାଠି ଆଗେଇବା ଉଚିତ ଏବଂ ଆମର ମିଳିତ ଭବିଷ୍ୟତ ବିକାଶ ଓ ପ୍ରକୃତି ମଧ୍ୟରେ ଆମେ ନିର୍ମାଣ କରୁଥିବା ଭାରସାମ୍ୟ ଉପରେ ନିର୍ଭର କରିବ। ଏ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି- କେବଳ ସୂଚନା ଦେବା ନୁହେଁ, ବରଂ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିବା। ସମ୍ବାଦ ଗ୍ରୁପ କେବଳ ରିପୋର୍ଟଂରୁ ଉପରକୁ ଉଠି ଏକ ପରିବର୍ତ୍ତନ ଆଣିବାକୁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବାକୁ ଉଦ୍ୟମ କରୁଛି ।

Leave a Reply

Your email address will not be published. Required fields are marked *