ସରକାରଙ୍କ ବେଆଇନ ନିର୍ମାଣ ଆଇନ କାଗଜ ପତ୍ରରେ ସୀମିତ: ଉତ୍ପଳ ଶର୍ମା
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ‘ସନ୍ତୁଳନର ଆହ୍ୱାନ: ଜଳବାୟୁ, ବିକାଶ ଏବଂ ସହରୀକରଣ’ଶୀର୍ଷକ ଆାଲୋଚନାରେ ନିର୍ମା ବିଶ୍ୱବିଦ୍ୟାଳୟର ସ୍ଥାପତ୍ୟ ଏବଂ ଯୋଜନା ପ୍ରତିଷ୍ଠାନର ପ୍ରଫେସର ଉତ୍ପଳ ଶର୍ମା କହିଲେ, ଆମେ ଭାରତରେ କରୁଥିବା ସହରାଞ୍ଚଳ ଯୋଜନାରେ ତ୍ରୁଟି ରହିଛି।
ସହରର ସମ୍ପ୍ରସାରଣ ସହିତ ସହରର କେନ୍ଦ୍ରରେ ଚାପ ବୃଦ୍ଧି ହେଉଛି। ଚାପ ହ୍ରାସ ପାଇଁ ପଦାକ୍ଷେପ ଗ୍ରହଣ କରାଯାଉ ନାହିଁ। କେନ୍ଦ୍ର ସରକାର ଏନେଇ ନିଷ୍କ୍ରିୟ ରହିଛନ୍ତି।
ଦେଶର ଜିଡିପିରେ ସହରାଞ୍ଚଳର ଯୋଗଦାନ ୭୫% ରହିଛି। ଏପରିସ୍ଥଳେ ସହରାଞ୍ଚଳକୁ ଅଣଦେଖା କରାଯିବା ଠିକ୍ ନୁହେଁ। ଲୋକେ ଖରାପ ଭିତ୍ତିଭୂମିରେ ବାସ କରୁଛନ୍ତି। ବମ୍ବେର ଧରାଭିରେ ଆମେ ବଡ଼ ବସ୍ତି ତିଆରି କରିଛେ। ଭାରତରେ ବଡ଼ ବଡ଼ ସହର ପରିବେଶ ଉପଯୋଗୀ ନୁହେଁ। ସରକାର ବେଆଇନ ନିର୍ମାଣ ପାଇଁ ବାରଣ କରିଥିଲେ ମଧ୍ୟ ଏହା କେବଳ କାଗଜ ପତ୍ରରେ ସୀମିତ ରହିଛି। ବର୍ଷାରେ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି। ଏହା ଯୋଜନାବଦ୍ଧ ଭାବେ ସହର ନିର୍ମାଣ କରାଯାଇ ନଥିବାକୁ ସ୍ପଷ୍ଟ କରୁଛି।