ରାଜ୍ୟ

ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଜାରି ହେଲା ଏସ୍‌ଓପି: ଦୁର୍ନୀତିକୁ କରାଯିବନି ବରଦାସ୍ତ

Spread the love

ଭୁବନେଶ୍ୱର: ପୁଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏହା ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କୌଣସି ପରିସ୍ଥିତିରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚେତାବନୀ ଦେବା ସହିତ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଅପଣାଯିବ ବୋଲି କହିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଆୟୋଜନରେ ସ୍ୱଚ୍ଛତା ରକ୍ଷା ତଥା ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ପ୍ରଥମ ଥର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରସିଡ଼ୁଅର(ଏସଓପି) ବା ମାର୍ଗଦର୍ଶିକା ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ୨୦୨୪ ଜୁନରୁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ଭିତ୍ତିକ ପରୀକ୍ଷା ସଂକ୍ରାନ୍ତ ଅନିୟମିତତା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ମାଗିବା ସହିତ ପୂର୍ବ ସରକାର ଅମଳରୁ କ୍ରମାଗତ ଭାବେ ଚାଲିଥିବା ପରୀକ୍ଷା ଦୁର୍ନୀତି ଉପରୁ ପରଦା ହଟାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି।

ଏସଆଇ ପରୀକ୍ଷା ବାତିଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ବିରୋଧୀ-ଶାସକ ମଧ୍ୟରେ ବାଦ-ବିବାଦ ଲାଗିରହିଛି। ଘଟଣାରେ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ କେତେକ ଏହାକୁ କେବଳ ରାଜନୀତି ଭିତରେ ସୀମିତ ରଖିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଶା ପୁଲିସ ରିକ୍ରୁଇଟମେଣ୍ଟ ବୋଡ଼, ପରୀକ୍ଷା ଦାୟିତ୍ୱରେ ଥିବା ମୁଖିଆଙ୍କ କାର୍ଯ୍ୟକଳା, ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା, ଦାୟିତ୍ୱ ହସ୍ତାନ୍ତରିତ ହୋଇଥିବା ଆଉଟସୋର୍ସିଂ ସଂସ୍ଥା ଏବେ ସନ୍ଦେହ ଘେରରେ ଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ଚାଲିଛି।  

ଓଡ଼ିଶାରେ ୨୦୨୧ରୁ କାୟାବିସ୍ତାର କରିଥିବା ଏକ ସଂସ୍ଥା ଏକାଧିକ ପରୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏଥିରୁ ଅନେକ ଅନିୟମିତତା କାରଣରୁ ବାତିଲ ହୋଇଥିଲା। ସେସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏହାଛଡ଼ା ପରୀକ୍ଷା ଅନିୟମିତତା କାରବାରରେ ଲିପ୍ତ ଥିବା କିଛି ପ୍ରଭାବଶାଳୀଙ୍କ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଘଟଣା ସହିତ ଜଡ଼ିତ ୧୧୮ ଜଣଙ୍କ ଗିରଫ ପରେ ଏଥିରେ ସଂପୃକ୍ତ କିଛି  ପ୍ରଭାବଶାଳୀଙ୍କୁ ଖୋଜାଚାଲିଛି। ସରକାର  ଘଟଣାର ମୂଳରେ ପହଞ୍ଚିବା ଏବଂ ପୂର୍ବ ସରକାର ଅମଳରୁ ଚାଲିଥବା ଦୁର୍ନତିର ମୂଳୋତ୍ପାଟନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗକୁ ବିସ୍ତୃତ ରିପୋର୍ଟ ମଗାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଗଳାବାଟ ଦେଇ ପୁଲିସ ଏସଆଇ ଚାକିର ପାଇଁ ଚାଲିଥିବା ଉଦ୍ୟମ ଫସରଫାଟିବା ପରେ ଏହାକୁ ନେଇ ଶାସକ-ବିରୋଧୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ଏପରି ସ୍ଥିତିରେ ଆରଆଇ/ଅମିନ ପରୀକ୍ଷା, ଓଟିିଇଟି ପରୀକ୍ଷାଠାରୁ ଆରମ୍ଭ କରି ପୁଲିସ, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ଖାଲି ପଦ ପୂରଣ ପାଇଁ ଅନୁଷ୍ଠିତ ହେବାକୁ ଥିବା ଲିଖିତ ଓ ମୌଖିକ ପ୍ରତିଯୋଗିତାମୂଳକ ପରୀକ୍ଷା ଆୟୋଜନ ଏଣିକି କଡ଼ାକଡ଼ି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଏସଆଇ ପରୀକ୍ଷା ଦୁର୍ନୀତି ପ୍ରସଙ୍ଗ ଓଡ଼ିଶା ପୁଲିସ ଠାବ କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନସାଧାରଣଙ୍କ ମତାମତ ଓ ପରାମର୍ଶକୁ ଭିତ୍ତି କରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ତ୍ରୁଟି ବିଚ୍ୟୁତି ସମ୍ପୂର୍ଣ୍ଣ ଦୂର କରିବା ନିମନ୍ତେ ଏସଓପି ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *