ତିହିଡି, ୦୫.୧୧: ମାମଲା ରୁଜୁରେ ସୀମିତ ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ବାପ ଘରେ ଭାଇମାନଙ୍କର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବିବାହିତା ଉଭଣୀ । ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ସୂଚନା ମୁତାବକ, ଏହି ଥାନାଧିନ କଣ୍ଡରାଗଡିଆ ଗାଁରେ ବାପ ଘରେ ଭଉଣୀକୁ ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ନଂ ୨୪୩/୨୬ ରୁଜୁ କରିବା ଘଟଣାରେ ପ୍ରାୟ ୧୫ ଦିନ ବିତି ଯାଇଥିଲେ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏତଲାକାରୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ମହିଳା ସ୍ନିଗ୍ଧାରାଣୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ସେ ପୀରହାଟ ଥାନା ଅନ୍ତର୍ଗତ କଣ୍ଡରାଗଡ଼ିଆ ମଝିସାହି ଗାଁର ବିଦ୍ୟାଧର ସେଠୀଙ୍କ ଝିଅ ଏବଂ ତିହିଡି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗାଁର ଚିନ୍ତାମଣି ବେହେରାଙ୍କ ପତ୍ନୀ ଅଟନ୍ତି । ତେବେ ଅସୁସ୍ଥ ଥିବା ନିଜ ବାପାଙ୍କୁ ଦେଖା କରିବାକୁ ସେ ବେଳେ ବେଳେ ବାପ ଘରକୁ ଯାଇଥାନ୍ତି । ତେବେ ସେ ବାପାଙ୍କୁ ଗୁଣିଗାରେଡ଼ି କରି କୁଆଡ଼େ ସମ୍ପତ୍ତି ହାତେଇବାକୁ ମସୁଧା କରୁଥିବା ଅଭିଯୋଗ କରି ଭାଇମାନେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ଗତ ଅକ୍ଟୋବର ୬ ତାରିଖରେ ସେ ବାପଘରକୁ ଯାଇଥିବା ବେଳେ ତାଙ୍କ ଭାଇ ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରିଥିଲେ । ଏହି ଘଟଣାରେ ତାଙ୍କ ବନ୍ଧୁବାନ୍ଧବ ହସ୍ତକ୍ଷେପ କରିବା ସହିତ ଏହାର ଆପୋଷ ସମାଧାନ ଲାଗି ଉଦ୍ୟମ କରିଥିଲେ । ସେହି ଅନୁସାରେ ଗତମାସ ୧୮ ତାରିଖ ଦିନ ତାଙ୍କ ବାପ ଘରେ ସମସ୍ତେ ବସି ଘଟଣା ସମ୍ପର୍କରେ ଆଲୋଚନା କରୁଥିଲେ । ତେବେ ଆଲୋଚନା ଚାଲିଥିବା ବେଳେ ତାଙ୍କ ଭାଇ ଓ ପୁତୁରା ମାନେ ଉତକ୍ଷିପ୍ତ ହୋଇ ତାଙ୍କୁ କୁଭାଷାରେ ଗାଳିଗୁଲଜ କରିବା ସହିତ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହେବା ସହିତ ଅଚେତ ହୋଇ ପଡ଼ି ଯାଇଥିଲେ । ଛାତିରେ ଗଭୀର ଯନ୍ତ୍ରଣା ସହ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି ଏବଂ ଡାହାଣ ପାପୁଲୀ ମୋଡି ଦେବା ଦ୍ୱାରା ବହୁତ ଯନ୍ତ୍ରଣା ମଧ୍ୟ ହେଉଛି । ସେହିପରି ଅଭିଯୁକ୍ତମାନେ ତାଙ୍କ ମୋବାଇଲ ଫୋନ, ପଟେ ସୁନା କାନଫୁଲ, ଭ୍ୟାନିଟି ବ୍ୟାଗ୍ ଓ ଏଥିରେ ଥିବା ୭ ହଜାର ୫ ଶହ ଟଙ୍କାକୁ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପରେ ସେ ଜଣେ ବ୍ୟକ୍ତିଙ୍କ ସହାୟତାରେ ତିହିଡି ଡାକ୍ତରଖାନା ଆସି ଚିକିତ୍ସିତ ହେବା ସହିତ ଥାନାରେ ଅଭିଯୋଗ କରିଥିଲେ । ଭାଇମାନଙ୍କ ମଧ୍ୟରେ ଜଣେ ଅଧ୍ୟାପକ ଓ ଜଣ ଆଇନ୍ଜୀବି ହୋଇଥିବାରୁ ସେମାନେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଅନୈତିକ ଚାପ ପକାଇ ପୋଲିସକୁ ହାତବାରିଶି କରିବା ପାଇଁ ଚେଷ୍ଟା କରୁଥିବା ଏବଂ ଥାନାରୁ ମାମଲା ପ୍ରତ୍ୟାହାର ନକରିଲେ ଜୀବନରୁ ମାରି ଦେବାକୁ ଧମକ ଚମକ ଦେଇ ଆସୁଥିବା ସ୍ନିଗ୍ଧାରାଣୀ ଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି । ଘଟଣା ଦିନଠାରୁ ମୋବାଇଲ ଫେରିବା ଲାଗି ସ୍ନିଗ୍ଧାରାଣି ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଏପରିକି ବୁଧବାର ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ଥାନାରେ ଅପେକ୍ଷା କରିବା ଗୁରୁବାର ପୋଲିସ ସଂପୃକ୍ତ ମୋବାଇଲ ହସ୍ତାନ୍ତର କରିଥିବା ଜଣାଯାଇଛି । ପୀରହାଟ ପୋଲିସ ଏଥିନେଇ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁନଥିବା ସ୍ନିଗ୍ଧାରାଣୀ ଭଦ୍ରକ ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ବେଳେ ଆଗକୁ ମହିଳା କମିଶନ ଓ ମାନବିକ ଅଧିକାର କମିଶନର ଅଧ୍ୟକ୍ଷଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିବେ ବୋଲି ସୂଚନା ଦେଇଛନ୍ତି । ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇଆଇସି ରୋଜାଲିନୀ ବେହେରା । ଉକ୍ତ ଘଟଣାଟି ସମ୍ପୂର୍ଣ୍ଣଭାବେ ଏକ ପାରିବାରିକ । ବାଦାନୁବାଦ ନେଇ ପୂର୍ବରୁ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ଉଭୟ ପକ୍ଷଙ୍କ ତରଫରୁ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । ସଂପ୍ରତି ଯେଉଁ ମାମଲା ରୁଜୁ ହୋଇଛି ତାହାର ତଦନ୍ତ ଚାଲୁ ରହିଛି ଏବଂ ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

