ଆଠମଲ୍ଲିକ, ୧୬/୧୦ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ପୁଲିସକୁ ମିଳିଛି ବଡ଼ ସଫଳତା। ରାତ୍ରିକାଳୀନ ପାଟ୍ରୋଲିଂ ଓ ଯାନବାହନ ଯାଞ୍ଚ ସମୟରେ ନୂଆଗଡ଼ ବ୍ରିଜ୍ ନିକଟରୁ ଏକ କାର୍ରୁ ୨୫ କେଜି ୨୨୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ କାର୍ ଚାଳକଙ୍କୁ ପୁଲିସ ଅଟକ ରଖିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୬ ତାରିଖ ଭୋର ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଓଡି-୦୨-ଡିଡି-୨୭୮୮ ନମ୍ବର ବିଶିଷ୍ଟ ଟାଟା ଇଟିଓସ୍ କାର୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର୍ର ପଛ ଡିକିରୁ ଗଞ୍ଜେଇର ତୀବ୍ର ଗନ୍ଧ ଆସିବାରୁ ପୁଲିସର ସନ୍ଦେହ ହୋଇଥିଲା। ପରେ କାର୍କୁ ତଲାସି କରିବା ସମୟରେ ୨୫ କେଜି ୨୨୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା।
ଏହା ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ କାର୍, ଗୋଟିଏ ରିଅଲମି ସି୭୫ ସ୍ମାର୍ଟଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଓ ନଗଦ ୧,୧୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।ଅଟକ ଚାଳକଙ୍କ ପରିଚୟ ପ୍ରଦ୍ୟୁମ୍ନ ତାଣ୍ଡିଆ (୨୪) ବୋଲି ପୁଲିସ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ଜବତ ଗଞ୍ଜେଇ ବୌଦ୍ଧ ଜିଲ୍ଲାର ବାଘିଆପଡ଼ା ଅଞ୍ଚଳରୁ ସଂଗ୍ରହ କରାଯାଇ ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳକୁ ନିଆଯାଉଥିବା ସନ୍ଦେହ କରାଯାଉଛି। ଏହି ଚାଲାଣ ପଛରେ ଥିବା ଯୋଗାଣକାରୀ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ପୁଲିସ ତଦନ୍ତ ଜାରି ରଖିଛି।
ଏନେଇ ଆଠମଲ୍ଲିକ ଥାନାରେ କେସ୍ ନଂ. ୩୫୪/୨୦୨୬ରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(C)/୨୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ଇନ୍ସପେକ୍ଟର ବିକାଶ କୁମାର ଏହି ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି।ନିଶାଦ୍ରବ୍ୟର ବେଆଇନ ଚାଲାଣ ରୋକିବା ଏବଂ ଏହାର ମୂଳ ଉତ୍ସକୁ ଠାବ କରିବା ପାଇଁ ଆଠମଲ୍ଲିକ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

