ବରୁଣସିଂ ସ୍ଥିତ ଶ୍ରୀ ଜଗନ୍ନାଥ ଏଜୁକେସନାଲ୍ ଫାଉଣ୍ଡେସନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ରେମୁଣା କଲେଜରେ ଚୟନିତ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ରେମୁଣା ବିଧାୟକ ଛାତ୍ର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ନିଷ୍ଠା, ଦାୟିତ୍ୱବୋଧ ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ।

ଛାତ୍ରଛାତ୍ରୀଙ୍କ ସମସ୍ୟା, ଅଧିକାର ଓ ସ୍ୱରକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ଦିଗରେ ଛାତ୍ର ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିଭାଇବା ଆବଶ୍ୟକ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶୃଙ୍ଖଳା ରକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଛାତ୍ର ପ୍ରତିନିଧିମାନେ ଗଠନମୂଳକ ପଦକ୍ଷେପ ନେବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ କହିଥିଲେ।
ଛାତ୍ରଶକ୍ତି ଦେଶର ଭବିଷ୍ୟତ ହୋଇଥିବା ବେଳେ ଯୁବ ନେତୃତ୍ୱ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ମୁଖ୍ୟ ଆଧାର ବୋଲି ବିଧାୟକ ଉଲ୍ଲେଖ କରିଥିଲେ। ନୂତନ ଭାବେ ଚୟନିତ ସମସ୍ତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କ ନେତୃତ୍ୱରେ ଶିକ୍ଷାନୁଷ୍ଠାନ ଉନ୍ନତିର ନୂତନ ଶିଖରରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରିଥିଲେ।

