ନବରଙ୍ଗପୁର: ମା’ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ର ପୂଜା । ଚାଲିଛି ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ନବଦିନାତ୍ମକ ନବରାତ୍ର ପୂଜା । ପାଟଖଣ୍ଡାର ମହାସ୍ନାନଠାରୁ ଆରମ୍ଭ କରି ୧୦୦୮ ଦୀପଦାନ ପର୍ଯ୍ୟନ୍ତ, ପ୍ରତ୍ୟେକଟି ବିଧିରେ ରହିଛି ଆସ୍ଥା ଓ ଆଦିବାସୀ ପରମ୍ପରାର ଅନନ୍ୟ ଝଲକ ।
ଶୋଭାଯାତ୍ରାରେ ମା’ଙ୍କ ପ୍ରତୀକ ପାଟଖଣ୍ଡାକୁ ସହର ପରିକ୍ରମା କରାଯିବା ପରେ ନିଆଯାଇଥିଲା ପ୍ରତାପ ସାଗରକୁ । ସେଠାରେ ପୂଜାର୍ଚ୍ଚନା ସହ ମହାସ୍ନାନ କରାଯାଇଥିଲା । ପରେ ପାଟଖଣ୍ଡାକୁ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପାଟଖଣ୍ଡାର ସ୍ୱତନ୍ତ୍ର ପୂଜା ପରେ ଆରମ୍ଭ ହୋଇଥିଲା ନବରାତ୍ରୀ ପୂଜାର ବିଧିବିଧାନ । ସନ୍ଧ୍ୟା ପୂଜା ସହ ଚଣ୍ଡୀପାଠ ଏହି ଧାର୍ମିକ ଆୟୋଜନର ଅନ୍ୟତମ ପ୍ରମୁଖ ଆକର୍ଷଣ ।
ଏହି ପୀଠର ନବରାତ୍ରୀ ପୂଜାରେ ରହିଛି ଏକ ସ୍ୱତନ୍ତ୍ର ପରମ୍ପରା । ସାଧାରଣ ଦିନରେ ମା’ ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଥିବା ବେଳେ ନବଦିନାତ୍ମକ ପୂଜା ସମୟରେ ମା’ଙ୍କ ପ୍ରତୀକ ପାଟଖଣ୍ଡା ପୂର୍ବାଭିମୁଖୀ ହୋଇ ପୂଜା ପାଆନ୍ତି ।

