ତିହିଡି, ୦୬.୧୦: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ତାଳପଦାରେ ଚୋରା ମଦ କାରବାର ପୋଲିସର ନିୟନ୍ତ୍ର ବାହାରେ ହୋଇ ଯାଇଛି । ପୋଲିସ ପକ୍ଷରୁ ବାରମ୍ବାର ଚଢାଉ କରାଯାଉଥିବା, ରନ୍ଧା ମଦ ନଷ୍ଟ କରାଯାଉଥିବା, ସରଞ୍ଜାମ ଜବତ୍ କରାଯାଉଥିବା ଏପରିକି କେତେକ ସ୍ଥଳରେ ଗିରଫ୍ କରାଯାଉଥିଲେ ମଧ୍ୟ କୌଣସି ଫରକ୍ ପଡିବାରେ ନାଁ ଧରୁନି । ପୋଲିସ ଫେରିବା ପରେ ଯଥା ପୂବଂ ତଥା ପରଂ । ତେବେ ପୋଲିସ ସେମାନଙ୍କୁ ଆନ୍ତରିକ ସ୍ତରରେ ଦମନ କରିବା ଲାଗି ବିଭିନ୍ନ ସମୟରେ ସଚେତନତା ସୃଷ୍ଟି କରି ଆସୁଥିଲେ ମଧ୍ୟ ଫଳ ଶୂନ୍ ପରି ଲାଗୁଛି । ତାଳପଦାରେ ଚୋରା ମଦର ବନ୍ୟା । ଦେଶୀ ଓ ବିଦେଶି ସହ ରନ୍ଧା ମଦ ମଧ୍ୟ ପ୍ରସ୍ତୁତ କରାଯାଉଥିବା ପୋଲିସ ନଜରକୁ ଆସିଛି । ଏହି ବନ୍ୟାରେ ଯୁବପିଢୀ ପଥଭ୍ରଷ୍ଟ ହେଉଛି । କେତେକ ସ୍ଥଳରେ ମହିଳାଙ୍କ ହାତରୁ ଶଙ୍ଖା ଆଉ ମଥାରୁ ସିନ୍ଦୁର ବି ଲିଭି ଯାଉଛି ତଥାପି ସେମାନେ ସଚେତନ ହେଉନଥିବା ସ୍ପଷ୍ଟ ବାରି ହେଉଛି । ସୋମବାର ରାତି ପ୍ରାୟ ୧୦ ଘଟିକା ସମୟରେ ପୋଲିସର ଚଢାଉ ସମୟରେ ତାଳପଦା କଲେଜ ରୋଡରେ ଚୋରା ମଦ କାରବାର ନଜରକୁ ଆସିଥିଲା । ଅଟୋ ସହ ଜଣେ ଯୁବକଙ୍କୁ ଥାନାକୁ ଆଣି ତଦନ୍ତ କରିବା ପରେ ସେଥିରୁ ୫୬ ଲିଟର ବିଦେଶୀ ମଦ ଓ ୪ ହଜାର ଟଙ୍କା ଥିବା ଜାଣିବାକୁ ପାଇଥିଲା ପୋଲିସ । ପୋଲିସ ଏନେଇ ଏକ ମାମଲା ୪୨୪/୨୬ ରୁଜୁ କରି ବ୍ୟବହୃତ ଅଟୋ(ଓଡି-୨୨-ଏଏ-୦୭୦୧)କୁ ମଧ୍ୟ ଜବତ୍ କରିବା ସହିତ ଅଭିଯୁକ୍ତ ତାଳପଦା ଗାଁର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ମନୋଜ କୁମାର ବେହେରା(୨୧)ଙ୍କୁ ଗିରଫ୍ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ସୂତ୍ରରୁ ସୂଚନା ମିଳିଛି ।

