ତିହିଡି, ୦୬.୧୦: ୧୦ ଦିନ ଧରି ଜମିବ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆପାଟଣା ଗ୍ରାମ । ଲକ୍ଷ୍ମୀନାରାୟଣଙ୍କ ବାର୍ଷିକ ପୂଜା ଉତ୍ସବ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଏହି ଗାଁ । ପ୍ରତି ବର୍ଷ ପରି ଚଳିତ ବର୍ଷ ବଡ ଧୂମଧାମରେ ପାଳନ ହେବାକୁ ଯାଉଛି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ସେପ୍ଟେମ୍ବର ୨୫ ତାରିଖ ସଂଧ୍ୟାରେ ବଡ ଆଡମ୍ବରପୂର୍ଣ୍ଣ ସହକାରେ କଳସ ବୁଡା ଉତ୍ସବ ପାଳନ କରାଯିବ । ଶତାଧିକ ମହିଳା ଓ ପୁରୁଷ ସାମିଲ ହେବେ । ମନ୍ଦିର ଠାରୁ ପୋଖରୀ ପର୍ଯ୍ୟନ୍ତ ଲମ୍ବିବ ଛେରା ପହଁରାର ଧାଡି । ଘଣ୍ଟ ବାଜା, ଢୋଲ ବାଜା, ରଙ୍ଗ ଢୋଲ, ଭାଙ୍ଗଡା ବାଜା ସହ ରୋଷଣୀର ତାଳେତାଳେ ଶୋଭାଯାତ୍ରା ଚାଲିବ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ ପ୍ରଶାସନ ସମେତ ଗ୍ରାମବାସୀ ଉପସ୍ଥିତ ରହିବେ । କଳସ ବୁଡା ପରେ ପ୍ରଭୁଙ୍କ ନିକଟରେ ଲାଗି ନେତ୍ରପଣା ଲାଗିବ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ୨୬ ଓ ୨୭ ତାରିଖରେ ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ୩୦, ୩୧ ଏବଂ ଅକ୍ଟୋବର ୧ ଓ ୨ ତାରିଖ ୪ ଦିନ ବ୍ୟାପୀ ମାନସିକ ପାଲା ଚାଲିବ । ପୂଜାକୁ ଅଧିକ ସରସ ଓ ସୁନ୍ଦର ଏବଂ ଆକର୍ଷିତ କରିବା ଲାଗି ୨ଟି ଅପେରା ପାର୍ଟିର ବ୍ୟବସ୍ଥା କରା ଯାଇଛି । ଗୋଟିଏ ଅପେରା ୨୬ ତାରିଖରୁ ୨୮ ତାରିଖ ଏବଂ ଅନ୍ୟଟି ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ତାରିଣୀ ପଡିଆରେ ଯାତ୍ରା ପରିବେଷଣ କରିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପ୍ରସ୍ତୁତି ବୈଠକରେ ମନ୍ଦିର ଟ୍ରଷ୍ଟି ଘନଶ୍ୟାମ ପରିଡା, ପରିଚାଳନା କମିଟିର ଉପଦେଷ୍ଟା କାଳନ୍ଦି ଦାସ ଓ କପିଳେନ୍ଦ୍ର ବାରିକ, ସମ୍ପାଦକ ପ୍ରଦୀପ ଦାସ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପରିଡା, କମିଟି ସଭ୍ୟା ରତିକାନ୍ତ ବାରିକ, କୈଳାସ ବାରିକ, କପିଳେନ୍ଦ୍ର ପରିଡା, ପ୍ରତାପ ଲେଙ୍କା, ପ୍ରହ୍ଲାଦ ଲେଙ୍କା, ସୁଦର୍ଶନ ନାୟକ, ସନାତନ ବାରିକ, ସବିତା ଜେନା, ବିଷ୍ଣୁମୋହନ ବାରିକ, ରାଧାଶ୍ୟାମ ଦାସ, ପ୍ରଫୁଲ ଲେଙ୍କା, ସୁଧାକର ଜେନା, ମନୋଜ ସାହୁ, ନାରଣ ବାରିକ, ରତ୍ନାକାର ବାରିକ, ରାଜେଶ ଲେଙ୍କା, ଭଜଗୋବିନ୍ଦ ବାରିକ, ଜଗବନ୍ଧୁ ବେହେରା, କାହ୍ନୁଚରଣ ଜେନା, ବଳଭଦ୍ର ବାରିକ, ରମେଶ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ପୂଜାକୁ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରାଯିବାକୁ ସଂକଳ୍ପବଦ୍ଧ ହୋଇଥିଲେ । ଏଠାରେ ସୂଚନା ଥାଉକି, କୁମାର ପୂର୍ଣ୍ଣମୀ ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରରେ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଉଥିବା ବେଳେ ସିନ୍ଦୋଳରେ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀ ପୂଜା ପାଇ ଆସୁଛନ୍ତି । ନୂଆପାଟଣାର ଏହି ପରମ୍ପରା ୧୦୫ ବର୍ଷରେ ପଦାର୍ପଣ କରିଛି । ପ୍ରଥମେ ଧୂଳିଆ ଘରେ ମୃଣ୍ମୟୀ ମୂର୍ତ୍ତୀ ପୂଜା ପାଉଥିଲେ ଏବଂ ପରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ସେଠାରେ ପାଷାଣ ମୂର୍ତ୍ତୀ ପୂଜା ପାଉଛନ୍ତି ।

