ଭଦ୍ରକ, ୦୩.୧୦: ଗଣତନ୍ତ୍ର ବିରୋଧୀ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରି ଗିରଫ କରିବା, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କରିବା, ଇଭିଏମ ହଟାଇ ବାଲାଟ ପେପରରେ ଭୋଟ କରାଇବା, ଏମ୍ ଏମ୍ ଡି ଆର ସଂଶୋଧନ ଆଇନ-୨୦୨୬ ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟାଜନିତ ମୃତ୍ୟୁବରଣ କରିଥିବା ପରିବାର ଓ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆସନ୍ତା ଅକ୍ଟୋବର ୮ ତାରିଖ ସକାଳ ୬ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଓଡିଶା ବନ୍ଦ ରହିବ ।
ଅତ୍ୟାବଶ୍ୟକ ସେବା କ୍ଷେତ୍ର ଦମକଳ, ଆମ୍ବୁଲାନ୍ସ, କ୍ଷୀର ଗାଡି, ପିଇବା ପାଣି ଟ୍ୟାଙ୍କ ରୁ କୁ ଛାଡିବା ପରେ ଓଡିଶା ମାଟିରେ ଟ୍ରେନ୍, ବସ୍, ଟ୍ରକ୍, ବିଭିନ୍ନ ପ୍ରକାର ଗାଡି ମୋଟର, ସମସ୍ତ କଳକାରଖାନା, ସମସ୍ତ ବ୍ୟାଙ୍କ, ଡାକ, ତାର ସେବା, ସମସ୍ତ ଫେରିଘାଟ, ସମସ୍ତ ବୋଟ, ସମସ୍ତ ବନ୍ଦର, ସମସ୍ତ ଖଣି ଖାଦାନ, ସମସ୍ତ ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ ଅଫିସ ଦପ୍ତର, ସମସ୍ତ ନ୍ୟାୟାଳୟ ବନ୍ଦ ରହିବ । ଏହି ବନ୍ଦକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟପକ୍ଷରୁ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ବରିଷ୍ଠ ସିପିଆଇ ନେତା ରମେଶ ଜେନା, ସିପିଆଇର ଯୁବ ନେତା ଦିଲିପ ନାୟକ, ସିପିଆଇ(ଏମଏଲ) ଲିବରେସନର ଜିଲ୍ଲା ସଂପାଦକ ସମର ବଳ, କଂଗ୍ରେସ ନେତା ପିତବାସ ଧଳ, ଜିଲ୍ଲା କଂଗ୍ରେସ ଉପସଭାପତି ରମେଶ ଚନ୍ଦ୍ର ନାୟକ, ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଯୁବନେତା ବିଜୟ ବାରିକ୍, ସରୋଜ ରାଉଳ, ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଓ ବିପନ୍ନ ଗଣତନ୍ତ୍ରର ସୁଧାର ପାଇଁ ଜିଲ୍ଲାବାସୀ ଲଢେଇ କରିବାକୁ ଆହ୍ୱାନ ଦେବା ସହ ଅକ୍ଟୋବର, ୮ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

